ଥଣ୍ଡା କାଶ ରୋଗୀ, ବୟସ୍କ ଲୋକ ରଥଯାତ୍ରା ଭିଡ଼କୁ ଯାଆନ୍ତୁ ନାହିଁ: ସ୍ୱାସ୍ଥ୍ୟ ବିଭାଗ

ପୁରୀ: ଥଣ୍ଡା କାଶ ରୋଗୀ, ବୟସ୍କ ଲୋକ, ବହୁ ରୋଗରେ ପୀଡିତ ବ୍ୟକ୍ତି ଓ ଯାହାର ଇମ୍ୟୁନିଟି କମ ସେମାନେ ରଥଯାତ୍ରା ଭିଡକୁ ନ ଯିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । କୋଭିଡ ଓ ରାଜ୍ୟରେ ବ୍ୟାପୁଥିବା ହଇଜାକୁ ଆଖି ଆଗରେ ରଖି ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଶେଷ କରିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ । ପୁରୀରେ ହସ୍ପିଟାଲ ପ୍ରସ୍ତୁତ ଅଛି । ଅଧିକ ବେଡ଼, ଆଇସିୟୁ, ଅଧିକ ଆମ୍ବୁଲାନ୍ସ, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମୁତୟନ କରାଯାଇଛି । ପୁରୀରେ ରହି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏସବୁର ପ୍ରତ୍ୟକ୍ଷ ତଦାରଖ କରିବେ । ପୁରୀର ଖାଦ୍ୟର ମାନ ପରୀକ୍ଷା ହେଉଛି । ୫ଟିରୁ ଅଧିକ ଟିମ ଖାଦ୍ୟର ମାନ ପରୀକ୍ଷା କରୁଛନ୍ତି । ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ସହ ଅନ୍ୟାନ୍ୟ ବାଟରେ ଶୁଦ୍ଧ ପାନୀୟ ଜଳ ରଥଯାତ୍ରା ସମୟରେ ଯୋଗାଇ ଦିଆଯାଉଛି । ପାନୀୟ ଜଳ ବିଶୋଧନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଟିମ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରହି ପୁରୀର ସମ୍ପୂର୍ଣ୍ଣ ସ୍ଥିତିକୁ ନିୟନ୍ତ୍ରଣ କରିବେ । ହାଇୱେ ଠୁ ଆରମ୍ଭ କରି ରଥ ଓ ବଡ଼ଦାଣ୍ଡ ସବୁଆଡେ ମୋବାଇଲ ଟିମ ସଜାଗ ରଖାଯାଇଥିବା ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର। ସେହିପରି ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଭଲ୍ୟୁଣ୍ଟର ପ୍ରସ୍ତୁତ ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।