ଭୁବନେଶ୍ୱର: ବଦଳିବ ଚିତ୍ର, ବଦଳିବେ ନେତା । ରାଜ୍ୟ ପିସିସି ଦେଖିବେ ନୂଆ ସଭାପତି । ବଦଳିବେ କଂଗ୍ରେସ ବିଧାୟକ ଦଳ ନେତା । ରାଜ୍ୟ କଂଗ୍ରେସର ହେବ ନବକଳେବର । କିଛିଦିନ ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି । ତାରା ଇସ୍ତଫା ଦେଇଥିବା ନେଇ ହଁ ମାରିଥିବାବେଳେ ନରସିଂହ ଧରିଛନ୍ତ ମୌନବ୍ରତ । ତେବେ କଂଗ୍ରେସ ରାଜନୀତିରେ ଆଉ ଏକ ଗୋଟି ଚାଳନା ଦଳରେ ଏବେ ପାଲଟିଛି ବଡ଼ ଖବର ।

କଂଗ୍ରେସର ଭିତର ମହଲ କହୁଛି, ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେବା ପରେ ବରିଷ୍ଠତା ଦୃଷ୍ଟିରୁ ସୁରେଶ କୁମାର ରାଉତରାୟଙ୍କୁ କାଳେ ହାଇକମାଣ୍ଡ ବିଧାୟକ ଦଳ ନେତା ଘୋଷଣା କରିଦେବେ । ଏହାକୁ ଦୃଷ୍ଟିରେ ରଖି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ଅସ୍ତ୍ର ମାଧ୍ୟମରେ ସୁରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଦୂରେଇ ରଖିବାକୁ ହୋଇଛି ବିଧିବଦ୍ଧ ଷଡ଼ଯନ୍ତ୍ର ବୋଲି ଜନୈକ କଂଗ୍ରେସ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । କୌଣସି ବିଶୃଙ୍ଖଳା ହେଲେ ଶୃଙ୍ଖଳା କମିଟି ବୈଠକ ଡକାଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା । ମାତ୍ର ସିଧାସଳଖ ପିସିସି ସଭାପତିଙ୍କ ଦ୍ବାରା ନୋଟିସ୍ କରାଯିବା ପରମ୍ପରା ନୁହେଁ ।

ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇବାର ପରଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ମନ୍ତବ୍ୟରେ କହିଥିଲେ, ସୁର ବାବୁ ଜଣେ ବରିଷ୍ଠ ନେତା ଓ ବିଧାୟକ । ସେ ଜଣେ ଏଆଇସିସି ମେମ୍ବର ମଧ୍ୟ । ତେଣୁ ଏପରି ମନ୍ତବ୍ୟ ଦେବା ଠିକ୍ ନାହିଁ । ସେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖନ୍ତୁ, ତାଙ୍କର ବିଚାର ଏଆଇସିସି କରିବ । ରାତିଅଧିଆ ନୋଟିସ୍ ସହ ନିରଞ୍ଜନଙ୍କ ଏହି ମନ୍ତବ୍ୟ କ’ଣ ସୁରଙ୍କ ବିରୋଧରେ ଏକ ଶୀତଳ ଷଡ଼ଯନ୍ତ୍ର । ଏଆଇସିସି ଯଦି ସୁର ରାଉତରାୟଙ୍କ ନାଁ ବିଚାର କରିବ, ତେବେ ଏହି କାରଣ ଦର୍ଶାଅ ନୋଟିସର ଦ୍ୱାହି ଦେଇ ତାଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଯାଇ ପାରିବ ବୋଲି ସେ କହିଛନ୍ତି ।