ଦେଶରେ ଭୟଙ୍କର କୋଇଲା ସଙ୍କଟ, ଅଧା ଭାରତରେ ସ୍ଥିତି ସଙ୍ଗୀନ

1 min read

ନୂଆଦିଲ୍ଲୀ: ଦେଶରେ ଭୟଙ୍କର କୋଇଲା ସଙ୍କଟ । ଥର୍ମାଲ ପାଓ୍ୱାର ପ୍ଲାଣ୍ଟରେ କୋଇଲା ଅଭାବରୁ ବାଧାପ୍ରାପ୍ତ ହୋଇଛି ବିଜୁଳି ଉତ୍ପାଦନ । ଯାହାଫଳରେ ଦିଲ୍ଲୀ, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ଦେଖାଦେଇଛି ଘୋର ବିଦ୍ୟୁତ୍ ସଙ୍କଟ । ଆଗାମୀ ଦିନରେ ରାଜଧାନୀ ଭୟଙ୍କର ବିଦ୍ୟୁତ ସଙ୍କଟର ସାମ୍ନା କରିପାରେ ବୋଲି ଆଶଙ୍କା କରିଛନ୍ତି ଦିଲ୍ଲୀ ସରକାର । ଫଳରେ ମେଟ୍ରୋ ଟ୍ରେନ, ହସ୍ପିଟାଲରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇପାରେ ବୋଲି ଦିଲ୍ଲୀ ସରକାର କହିଛନ୍ତି । ସ୍ଥିତିକୁ ନେଇ ବରିଷ୍ଠ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି ଶକ୍ତି ମନ୍ତ୍ରୀ ସତୈନ୍ଦ୍ର ଜୈନ୍ ।

ଦିଲ୍ଲୀକୁ ବିଦ୍ୟୁତ୍ ଯୋଗାଣ ପାଇଁ ଥର୍ମାଲ ପାଓ୍ୱାର ପ୍ଲାଣ୍ଟକୁ ଆବଶ୍ୟକ କୋଇଲା ଯୋଗାଣ ପାଇଁ କେନ୍ଦ୍ରକୁ ନିବେଦନ କରିଛନ୍ତି ଦିଲ୍ଲୀ ସରକାର । ଦାଦ୍ରୀ-୨ ଓ ଉଞ୍ଚହାର ପାଓ୍ୱାର ଷ୍ଟେସନରେ କୋଇଲା ଅଭାବ ଯୋଗୁ ଦିଲ୍ଲୀରେ ୨୪ ଘଣ୍ଟିଆ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇପାରେ । ଦିଲ୍ଲୀ ପାଇଁ ଆବଶ୍ୟକ ବିଜୁଳିର ୨୫ରୁ ୩୦ ପ୍ରତିଶତ ଏହି ଦୁଇ ପ୍ଲାଣ୍ଟରୁ ମିଳିଥାଏ । ତେବେ ସରକାର ଏ ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ବେଳେ ରାଜଧାନୀବାସୀ ବିଦ୍ୟୁତ୍ କାଟର ସାମ୍ନା ନକରିବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।

ସେପଟେ ପଞ୍ଜାବରେ ୪୦ ପ୍ରତିଶତ ବଢ଼ିଛି ବିଦ୍ୟୁତ୍ ଚାହିଦା । ଫାର୍ମିଂ ସେକ୍ଟରକୁ ଆବଶ୍ୟକ ବିଜୁଳି ଯୋଗାଣ ହୋଇପାରୁ ନଥିବାରୁ ଶକ୍ତି ମନ୍ତ୍ରୀଙ୍କ ଘର ଆଗରେ ଆନ୍ଦୋଳନ ଡାକରା ଦେଇଛି କିଶାନ ମଜଦୁର ସଂଘ । ସରକାର ଏହାର ବିକଳ୍ପ ଚିନ୍ତା କରୁଛନ୍ତି ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ମନିଟରିଂ କରୁଛନ୍ତି ବୋଲି ପଞ୍ଜାବ ଶକ୍ତି ମନ୍ତ୍ରୀ ହରବଜନ ସିଂ କହିଛନ୍ତି । ସେପଟେ ନାଲକୋ ଓଡ଼ିଶାରେ ମଧ୍ୟ କୋଇଲା ଅଭାବ ଯୋଗୁ ବାଧାପ୍ରାପ୍ତ ହୋଇଛି ଉତ୍ପାଦନ । ନାଲକୋ କାରଖାନା ଚାଲିବା ପାଇଁ ଆବଶ୍ୟକ କୋଇଲା ମିଳୁନି । କୋଇଲା ଯୋଗାଣ କମିବା ସାଙ୍ଗକୁ ଗଚ୍ଛିତ କୋଇଲା ପରିମାଣ ବି କମିବାରେ ଲାଗିଛି । ସେପଟେ ୟୁପିରେ ବି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇଛି । ମାତ୍ର କୋଇଲା ଅଭାବ ଯୋଗୁ ଆଗାମୀ ଦିନରେ ରାଜ୍ୟ ଭୟଙ୍କର ସଙ୍କଟର ସାମ୍ନା କରିବା ଆଶଙ୍କା ଦେଖାଦେଇଛି । ରାଜସ୍ଥାନ, ଝାଡଖଣ୍ଡ ଆଦି ରାଜ୍ୟରେ ମଧ୍ୟ କୋଇଲା ସଙ୍କଟ ଯୋଗୁ ସ୍ଥିତି ବିଗିଡ଼ିବାରେ ଲାଗିଛି ।