କୋଇଲା ସଂକଟ: ଜୁଲାଇରୁ କୋଇଲା ନଯୋଗାଇଲେ ପ୍ଲାଣ୍ଟ୍ ବନ୍ଦ

1 min read

ନନ୍ଦିଘୋଷ ବ୍ୟୁରୋ: ଘନେଇଲା କୋଇଲା ସଂକଟ। କୋଲ ଇଣ୍ଡିଆ ବିଦେଶରୁ ଆମଦାନୀ କରି କୋଇଲା ନଯୋଗାଇଲେ ଆସନ୍ତା ଜୁଲାଇରୁ ବନ୍ଦ ହୋଇଯିବ ରାଜ୍ୟର ଇସ୍ପାତ, ଆଲୁମିନିୟମ ଓ ପାଓ୍ବାର ପ୍ଲାଣ୍ଟ୍। ଏଭଳି ଉଦବେଗ ପ୍ରକାଶ କରି କେନ୍ଦ୍ର ଶକ୍ତି ମନ୍ତ୍ରାଳୟକୁ ଚିଠି ଲେଖିଛି ଶିଳ୍ପ ସଂଘ । ବିଜେଡି କହିଛି, ବର୍ଷେ ହେଲାଣି ଲାଗି ରହିଛି କୋଇଲା ସଂକଟ। ଓଡ଼ିଶାରୁ ଉତ୍ପାଦନ ହେଉଥିବା କୋଇଲା ବାହାରକୁ ରପ୍ତାନୀ ହେଉଛି। ଅଥଚ ଓଡ଼ିଶାର ଶିଳ୍ପଙ୍କୁ ଆବଶ୍ୟକ ଅନୁସାରେ କୋଇଲା ମିଳୁନି । ସଂକଟ ଦୂର ପାଇଁ କେନ୍ଦ୍ର ସରକାର ବି ଆନ୍ତରିକତା ଦେଖାଉନାହାନ୍ତି।

ସରି ଆସିଲାଣି ଏମଏସ୍ଏମ୍ଇ କୋଇଲା ଷ୍ଟକ୍। ଦୂର ହେଉନି ସଂକଟ। ହେଲେ କେନ୍ଦ୍ର ସରକାର କହୁଛନ୍ତି, ଚିନ୍ତା ନାହିଁ ଗଚ୍ଛିତ ଅଛି ୭୨ମିଲିୟାନ ଟନ୍ କୋଇଲା। ସେପଟେ ବ୍ଲେଣ୍ଡିଂ ଉଦ୍ଦେଶ୍ୟରେ ବିଦେଶରୁ କୋଇଲା ଆମଦାନୀ ପାଇଁ ସବୁ ବିଦ୍ୟୁତ ପ୍ଲାଣ୍ଟ୍କୁ ମେ ୩୧ସୁଦ୍ଧା ଅର୍ଡ଼ର ପ୍ଲେସ କରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଜିଦ୍ ଧରିଛି। ନଚେତ୍ ଆବଣ୍ଟିତ କୋଇଲାରୁ ୫ପ୍ରତିଶତ କଟିଯିବ। କୋଇଲା ମନ୍ତ୍ରାଳୟ ଅଭାବ ପୂରଣ କରୁନି। ଶକ୍ତି ମନ୍ତ୍ରାଳୟ ଅଭାବ ପୂରଣ ପାଇଁ ଆମଦାନୀ କରିବାକୁ ବାଧ୍ୟ କରୁଛି, ଯାହାକି ବ୍ୟୟବହୁଳ ।

ରାଜ୍ୟର ଏମ୍ଏସ୍ଏମ୍ଇ ଶିଳ୍ପ ପାଖରେ ଆଉ କୋଇଲା ନାହିଁ। କୋଲ ଇଣ୍ଡିଆ ଜରିଆରେ ବିଦେଶରୁ ଆମଦାନୀ କରି କୋଇଲା ଯୋଗାଇବାକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଓ ରେଳ ମନ୍ତ୍ରାଳୟକୁ ଚିଠି ଲେଖିଛି ଶିଳ୍ପ ସଂଘ। ବର୍ଷକୁ ୧୯୪ମିଲିୟନ୍ ଟନ୍ ଆବଶ୍ୟକ। କେନ୍ଦ୍ର ସରକାର ଯୋଗାଇବେ ୧୫୪.୭ ମିଲିୟନ୍ ଟନ୍। ବାକି ୪୨.୫ ମିଲିୟନ୍ ଟନ୍ ଅଭାବ ପଡ଼ିବ। ଯଦି ଏବେଠୁ କୋଇଲା ଯୋଗାଣ କେନ୍ଦ୍ର ସରକାର ସୁନିଶ୍ଚିତ ନକରନ୍ତି, ତାହାଲେ ଜୁଲାଇ ସୁଦ୍ଧା ରାଜ୍ୟର ସ୍ପଞ୍ଜ ଆଇରନ୍, ଆଲୁମିନିୟମ୍, ଛୋଟ ବିଦ୍ୟୁତ୍ ପ୍ଲାଣ୍ଟ୍ଗୁଡ଼ିକ ବନ୍ଦ ହୋଇଯିବ ।

କୋଇଲା ସଂକଟ ଦୂର କରିବାକୁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଓଡ଼ିଶାର କୋଇଲା ବାହାରକୁ ରପ୍ତାନୀ ହେଉଛି। ଅନ୍ତରାଷ୍ଟ୍ରୀୟ ବଜାରରେ କୋଇଲା ଦର ଅହେତୁକ ବଢ଼ିଯାଇଛି। ଏପରିକି ବିଦେଶରୁ କୋଇଲା ଆମଦାନୀ କଲେ ଟନ୍ ପିଛା ୩୦ହଜାର ପଡ଼ିଲାଣି। ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବାରୁ ସେଠାରୁ କୋଇଲା ଆସିପାରୁନି। ଅନ୍ୟପଟେ ଇଣ୍ଡୋନେସିଆ କୋଇଲା ରପ୍ତାନୀ ବନ୍ଦ କରିଦେଇଛି। ଏଭଳି ସ୍ଥିତିରେ ବିଦେଶରୁ କୋଇଲା ଆମଦାନୀ ଜିଦ୍, ସଂକଟ ଦୂର ନେଇ କେନ୍ଦ୍ରର ଆନ୍ତରିକହୀନତା ଦର୍ଶାଉଛି । ବର୍ଷେ ହେଲାଣି ଦେଶରେ କୋଇଲା ସଂକଟ ଲାଗିରହିଛି। ଉତ୍ପାଦନ ବୃଦ୍ଧି କରି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ଆମଦାନୀ କରିବାକୁ ଜିଦ ଧରିବା ଶିଳ୍ପ ବିକାଶ କ୍ଷେତ୍ରରେ କେତେ ସମ୍ଭବ ହେବ ତାକୁ ନେଇ ଉଠିଛି ପ୍ରଶ୍ନ।