କୋଇଲା ରୟାଲଟି ନେଇ ପୁଣି ଥରେ କେନ୍ଦ୍ରକୁ ସୁପାରିସ୍ କରିବ ରାଜ୍ୟ: ୨୦ ପ୍ରତିଶତ ରୟାଲଟି ପାଇଁ ଦାବି କରାଯିବ

ଭୁବନେଶ୍ୱର: କୋଇଲା ରୟାଲଟି ସଂଶୋଧନ କର । ଗ୍ରୀନ ସେସ୍‌ର ପ୍ରାପ୍ୟ ରାଜ୍ୟକୁ ଦିଅ । ପୁଣି ଥରେ କେନ୍ଦ୍ରକୁ ସୁପାରିସ କରିବ ରାଜ୍ୟ । କୋଇଲା ରୟାଲିଟି ୨୦ ପ୍ରତିଶତ ଦେବାପାଇଁ କେନ୍ଦ୍ର ନିକଟରେ ଦାବି କରିବ ରାଜ୍ୟ । ବିଧାନସଭାର ଇସ୍ପାତ ଓ ଖଣି ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗ୍ରୀନ ସେସ୍ ରାଜ୍ୟକୁ କେନ୍ଦ୍ର ଦେଉନଥିବାରୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ଓ ବିଜେଡି । ଯାହାର ଜବାବ ରଖିଛି ବିଜେପି ।

୭ବର୍ଷ ହେଲା ଦାବି ହେଉଛି । କିନ୍ତୁ କୋଇଲା ରୟାଲଟି ସଂଶୋଧନ କରୁନି କେନ୍ଦ୍ର । ୧୨ହଜାର କୋଟି ଟଙ୍କାର ରାଜସ୍ୱ  ହରାଇଲାଣି ରାଜ୍ୟ । ବାରମ୍ବାର କେନ୍ଦ୍ର ନିକଟରେ କୋଇଲା ରୟାଲଟି ସଂଶୋଧନ କରିବା ପାଇଁ ରାଜ୍ୟ ଦାବି ଦୋହରାଉଥିଲେ ମଧ୍ୟ କର୍ଣ୍ଣପାତ କରୁନାହିଁ କେନ୍ଦ୍ର । ଯାହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ହୋଇଛି ଘମାଘୋଟ ଆଲୋଚନା । ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିବା ସହ, ୧୪ପ୍ରତିଶତରୁ ୨୦ପ୍ରତିଶତକୁ ରୟାଲଟି ବୃଦ୍ଧି କରିବା ପାଇଁ ବୈଠକରେ ଦାବି କରାଯାଇଛି । ଷ୍ଟାଣ୍ଡି କମିଟିର ପ୍ରସ୍ତାବକୁ ଖୁବଶୀଘ୍ର କେନ୍ଦ୍ରକୁ ସୁପାରିସ କରିବ ରାଜ୍ୟ ।

କୋଇଲା ଉତ୍ତୋଳନ ଓ ପ୍ରଦୂଷଣ ରାଜ୍ୟ ସହୁଛି । ଏ ବାବଦକୁ କିନ୍ତୁ ରାଜ୍ୟର ଗ୍ରୀନ ସେସ୍‌ ପ୍ରାପ୍ୟକୁ କେନ୍ଦ୍ର ଦେଉନାହିଁ । ଏ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରୁଛନ୍ତି । ସଂସଦରେ ଏ ପ୍ରସଙ୍ଗ ବିଜେଡି ଉଠାଉଛି । ତଥାପି କେନ୍ଦ୍ର ରାଜ୍ୟକୁ ତାର ହକ୍ ଦେଉନାହିଁ । ଯାହାକୁ ନେଇ ଖପ୍ପା ଉଭୟ ବିଜେଡି ଓ କଂଗ୍ରେସ । ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିବା ସହ ଗ୍ରୀନ ସେସ୍ ବାବଦ ଅର୍ଥ ରାଜ୍ୟକୁ ଦେବାପାଇଁ ଦାବି ହୋଇଛି । ସେପଟେ ରାଜ୍ୟ ସ୍ୱାର୍ଥକୁ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିବାକୁ ପଛାଇନାହିଁ ରାଜ୍ୟ ବିଜେପି । ସବୁ କ୍ଷେତ୍ରରେ କେନ୍ଦ୍ର ଓଡିଶା ପ୍ରତି ବୈମାତୃକ ମନୋଭାବ ରଖୁଛି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ୍‌କୁ ମଧ୍ୟ କେନ୍ଦ୍ର ଅଣଦେଖା କରିଚାଲିଛି । ଯାହାକୁ ନେଇ ଏବେ ସାରା ଓଡିଶାରେ ଉଠିଲାଣି ପ୍ରତିବାଦର ସ୍ୱର ।

Leave a Reply