କୋଇଲା ରୟାଲଟିକୁ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉଦବେଗ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ଗତ ୩ ବର୍ଷ ମଧ୍ୟରେ ୬୪୩ ନିୟୁତ ଟନ୍ କୋଇଲା ଉତ୍ପାଦନ କରାଯାଇଛି । କୋଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ରାଜ୍ୟ କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ ୫ଟି ନୂତନ ପ୍ରକଳ୍ପ ଚିହ୍ନଟ କରାଯାଇଛି । ଉତ୍କଳ-କ, ଗୋପାଳପ୍ରସାଦ ଓ୍ବେଷ୍ଟ, ବଳଭଦ୍ର, ଭୁବନେଶ୍ଵରୀ (ଆଂଶିକ), ଅରଖପାଳ-ଏ, ସାକ୍ଷୀଗୋପାଳ-ଏ, କୁଡଲା ଏବଂ ଗର୍ଜନ ଅଞ୍ଚଳରେ ୯ଟି କୋଇଲା ଖଣିରୁ କୋଇଲା ଉତ୍ତୋଳନ ନିମନ୍ତେ ପ୍ରସ୍ତାବ ରହିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ଜି. କିଷନ ରେଡ୍ଡୀ । ଯାହାକୁ ନେଇ ରାଜ୍ୟସଭା ସାଂସଦ ମାନସରଞ୍ଜନ ମଙ୍ଗରାଜ ଉଦବେଗ ପ୍ରକାଶ କରିଛନ୍ତି । ଓଡ଼ିଶାରୁ ଚାଲାଣ ହେଉଥିବା କୋଇଲାରେ ତାମିଲନାଡୁ, ଗୁଜରାଟ, ପଶ୍ଚିମବଙ୍ଗ, ମହରାଷ୍ଟ୍ର ସହ ଉତ୍ତର ଭାରତର ବିଭିନ୍ନ ତାପଜ ବିଦ୍ୟୁତ୍ କେନ୍ଦ୍ର ଚାଲୁଛି। ମାତ୍ର ଓଡ଼ିଶା ଭାଗ୍ୟରେ କେବଳ ଧୂଳି, ଧୂଆଁ ପାଉଁଶ ଛଡ଼ା ଆଉ କିଛି ନାହିଁ ।

କୋଇଲାଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ଜୀବନଧାରଣର ମାନରେ ଉନ୍ନତି ହେଇ ନାହିଁ କି ରାଜ୍ୟକୁ ରାଜସ୍ୱ ମିଳୁନାହିଁ । କୋଇଲା ରୟାଲଟି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାର ବାରମ୍ବାର ଖାରଜ କରି ଚାଲିଛନ୍ତି, ସେସ୍ ବାବଦରେ ଟନ୍ ପିଛା ଆଦାୟ ହେଉଥିବା ୪୦୦ ଟଙ୍କାରୁ ଓଡ଼ିଶାକୁ କିଛି ବି ମିଳୁନାହିଁ । ମାତ୍ର ବିଡ଼ମ୍ବନା ହେଉଛି କୋଇଲା ବ୍ୟବହାର କରୁଥିବା ସଂସ୍କାର ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ଓଡ଼ିଶାର ଦାବି ବାରମ୍ବାର କେନ୍ଦ୍ର ସରକାର ଖାରଜ କରୁଛନ୍ତି । ପ୍ରତି ୩ ବର୍ଷରେ ଥରେ କୋଇଲା ରୟାଲଟି ସଂଶୋଧନ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଫାଙ୍କି ଚାଲିଛନ୍ତି । ୨୦୧୪ ମସିହା ପରେ ଆଉ ରୟାଲଟି ସଂଶୋଧନ ହୋଇନାହିଁ I ପରିଣତିସ୍ବରୂପ ଓଡିଶା ବିପୁଳ ରାଜସ୍ବ ହରାଇଛି । ଦେଶରେ ଦ୍ଵିତୀୟ ସର୍ବାଧିକ କୋଇଲା ଓଡିଶାରେ ଥିବା ବେଳେ ଏଥୁରୁ ନିଜର ଅଂଶଧନ ବୃଦ୍ଧି ପାଇଁ ଗତ ୧୪ ବର୍ଷ ହେଲା ରୟାଲଟି ସଂଶୋଧନ କରି ୨୦ ପ୍ରତିଶତକୁ ବୃଦ୍ଧି ପାଇଁ ଦାବି କରି ଆସୁଛି । ଆଜି ମଧ୍ୟ ବିଜେଡି ସାଂସଦମାନେ ସଂସଦରେ ବାରମ୍ବାର ଏହି ପ୍ରସଙ୍ଗ ଉଠାଇ ଓଡିଶାର ଅଧିକାର ମାଗୁଛନ୍ତି । କେନ୍ଦ୍ର ସରକାରଙ୍କ ମନମାନି ପାଇଁ ଓଡିଶା ବର୍ଷକୁ ହାରାହାରି ୧୨ ହଜାର କୋଟି ଟଙ୍କା ରାଜସ୍ତ୍ର ହରାଉଛି ।