୩୮ବର୍ଷରେ ବିଜୁଳିର ଚାହିଦା ସର୍ବାଧିକ, ଗଚ୍ଛିତ କୋଇଲା ୯ବର୍ଷରେ ସର୍ବନିମ୍ନ

1 min read

ଭୁବନେଶ୍ୱର: ଦେଶରେ କୋଇଲାର ଉତ୍କଟ ଅଭାବ ଯୋଗୁଁ ଶକ୍ତି କ୍ଷେତ୍ରରେ ବିଭ୍ରାଟ । ଚାହିଦା ମୁତାବକ ମିଳୁନାହିଁ ବିଜୁଳି । ଖରାଦିନେ ବିଜୁଳିର ଚାହିଦା ବୃଦ୍ଧି ସାଙ୍ଗକୁ କୋଇଲା ଉତ୍ପାଦନ ଓ ପରିବହନରେ ସମସ୍ୟା ଯୋଗୁଁ କମୁଛି ବିଜୁଳି ଉତ୍ପାଦନ । ତାପଜ ବିଦ୍ୟୁତ ସାଙ୍ଗକୁ ଜଳ ବିଦ୍ୟୁତ ଉତ୍ପାଦନ ବି କମୁଛି । ୧୦ଟି ରାଜ୍ୟରେ ଆରମ୍ଭ ହେଲାଣି ପାଓ୍ୱାର କଟ୍ । ୩୮ ବର୍ଷରେ ବିଜୁଳି ଚାହିଦା ସର୍ବାଧିକ ହୋଇଥିବା ବେଳେ ଗଚ୍ଛିତ କୋଇଲା ୯ ବର୍ଷରେ ସର୍ବନିମ୍ନ ହୋଇଛି । ତୁରନ୍ତ ମିଳିତ ଉଦ୍ୟମ ନହେଲେ ରାଜ୍ୟ ତଥା ଦେଶରେ ଏହି ସମସ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି ।

ମଇ ମାସର ଖରା, ମାର୍ଚ୍ଚ-ଏପ୍ରିଲରୁ ଦେଖାଗଲାଣି । ଆଗୁଆ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଢୁଛି ବିଜୁଳି ଚାହିଦା । ଏପଟେ କୋଇଲା ଉତ୍ପାଦନ କମିବା ସାଙ୍ଗକୁ ଗଚ୍ଛିତ କୋଇଲା ପରିବହନରେ ବି ସମସ୍ୟା ଦେଖାଯାଇଛି । ଏଥିଯୋଗୁଁ ବିଦ୍ୟୁତ ଉତ୍ପାଦନ କମୁଛି । ଏହାର ପ୍ରଭାବ ୧୨ଟି ରାଜ୍ୟରେ ଦେଖାଗଲାଣି । ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଭଳି ରାଜ୍ୟରେ ପାଓ୍ବାର କଟ୍ ଆରମ୍ଭ ହେଲାଣି । ମହାରାଷ୍ଟ୍ର ଭଳି ଶିଳ୍ପ ବହୁଳ ରାଜ୍ୟରେ ବିଜୁଳି ସଙ୍କଟ ଉତ୍କଟ ହେଲାଣି । ଦିନକୁ ଅଢେଇ ହଜାର ମେଗାଓ୍ବାଟ ବିଜୁଳି ଅଭାବ ପଡ଼ୁଛି । ଗୁଜୁରାଟ ଓ ତାମିଲନାଡ଼ୁରେ ବି ସମାନ ସ୍ଥିତି । କୋଇଲା ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିବ ବୋଲି ୬ ମାସ ତଳୁ ଓଡ଼ିଶାର ଶିଳ୍ପ ସଂଘ କେନ୍ଦ୍ର ସରକାରଙ୍କୁ ଲିଖିତ ଜଣାଇବା ସହ ପ୍ରତିକାର ପାଇଁ ଅନୁରୋଧ କରିଥିଲା । ହେଲେ ସମସ୍ୟା ଯେଉଁଠି ଥିଲା, ସେଇଠି ରହିଛି । କୋଇଲା ଉତ୍ପାଦନ, ପରିବହନକୁ ବ୍ୟବସ୍ଥିତ ନ କଲେ ଆଗକୁ ବି ସ୍ଥିତି ଜଟିଳ ହେବ ବୋଲି ଜଣାପଡ଼ିଛି ।

୩୮ ବର୍ଷ ମଧ୍ୟରେ ଏଥର ବିଜୁଳି ଚାହିଦା ସର୍ବାଧିକ । ଏପଟେ କିନ୍ତୁ ଦେଶରେ କୋଇଲା ଗଚ୍ଛିତ ପରିମାଣ ବିଗତ ୯ ବର୍ଷରେ ସର୍ବନିମ୍ନ ହୋଇଛି । ଓଡ଼ିଶାରେ ଏବେ ବିଜୁଳି ଚାହିଦା ୪୨ଶହ ମେଗାଓ୍ୱାଟରେ ପହଞ୍ଚିଲାଣି । ଖରାଦିନେ ଜଳସ୍ତର କମୁଥିବାରୁ ହାଇଡ଼୍ରୋ ପାଓ୍ୱାର ଉତ୍ପାଦନ ବି ପ୍ରଭାବିତ ହୋଇଛି । ରାଜ୍ୟରେ ଦିନକୁ ପ୍ରାୟ ୯୫ ମିଲିଅନ୍ ଟନ୍ କୋଇଲା ଆବଶ୍ୟକତା ପଡ଼ୁଛି । ରାଜ୍ୟରେ କୋଲ୍ ଇଣ୍ଡିଆର ଏମସିଏଲ୍ ୧୫୭ ମିଲିଅନ୍ ଟନ୍ କୋଇଲା ଉତ୍ପାଦନ କରୁଥିବା ବେଳେ ୬୫ ପ୍ରତିଶତ ବାହାର ରାଜ୍ୟକୁ ପଠାଉଛି । କୋଇଲା ସଙ୍କଟ ଉତ୍କଟ ହେଉଥିବା ବେଳେ ଏଥିରୁ ମୁକୁଳିବାର ବାଟ ବାହାରୁନାହିଁ । ରେଳ ମନ୍ତ୍ରାଳୟ, କୋଇଲା ମନ୍ତ୍ରାଳୟ, ଶକ୍ତି ମନ୍ତ୍ରାଳୟ ମିଳିତ ଭାବେ ସମସ୍ୟାର ସମାଧାନ ନକଲେ ଆଗକୁ ସମସ୍ୟା ବଢିବା ନିଶ୍ଚିତ ।

ଏଥିସହିତ ପଢ଼ନ୍ତୁ: ଜୁନ୍‌ରେ ଆସିବ ମୌସୁମୀ: ୯୯ ପ୍ରତିଶତ ବର୍ଷା ସମ୍ଭାବନା