spot_img

Latest Posts

କୋଇଲା କରିଦେବ କି ଦେଶକୁ ଅନ୍ଧାର ?

ନୂଆଦିଲ୍ଲୀ: ସରକାର ଯେତେ ସଫେଇ ଦେଲେ ବି ଧିରେ ଧିରେ ଘନେଇବାରେ ଲାଗିଛି ଦେଶରେ କୋଇଲା ସଙ୍କଟ। ଏ ସ୍ଥିତି ଲାଗି ରହିଲେ, ବିଦ୍ୟୁତ୍ ଉତ୍ପାଦନ ଉପରେ ପଡ଼ିବ ଗଭୀର ପ୍ରଭାବ। ସେତିକି ନୁହେଁ, ଶୀଘ୍ର ସ୍ଥିତିରେ ସୁଧାର ନଆସିଲେ ଚୀନ୍ ଭଳି ଭାରତରେ ବି ଅନ୍ଧାର ଛାଇ ଯିବାର ଆଶଙ୍କା ସୃଷ୍ଟି ହେଇଛି।

ସରକାରୀ ହିସାବରେ ଦେଶରେ ୧୩୫ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍ ଉତ୍ପାଦନ କରାଯାଇଥାଏ। ହେଲେ ଏଥିରୁ ୧୮ଟି ପ୍ଲାଣ୍ଟରେ କୋଇଲା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ୨୦ଟି ପ୍ଲାଣ୍ଟ ଏମିତି ଅଛନ୍ତି ଯାହାଙ୍କ ପାଖରେ ମାତ୍ର ୭ ଦିନଠାରୁ କିଛିଦିନ ଅଧିକ ଷ୍ଟକ ରହିଛି।

ଦେଶରେ କୋଇଲା ସଙ୍କଟ ନଥିବା ଗତ ରବିବାର ଶକ୍ତିମନ୍ତ୍ରୀ ଆରକେ ସିଂହ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଥିଲେ। ଏକଥା ବି ମାନିଥିଲେ ଯେ, ପାଓ୍ବାର ପ୍ଲାଣ୍ଟଗୁଡିକରେ ଆବଶ୍ୟକ ଅନୁସାରେ କୋଇଲା ନାହିଁ। ତାଙ୍କ ଅନୁସାରେ ପୂର୍ବରୁ ୧୭/୧୭ ଦିନର ଷ୍ଟକ୍  ରହୁଥିବା ବେଳେ ଏବେ ମାତ୍ର ୪ରୁ ୫ ଦିନର ରହିଛି।

ଅନ୍ୟପକ୍ଷରେ ବିଦ୍ୟୁତ ମନ୍ତ୍ରାଳୟର ହିସାବକୁ ଦେଖାଗଲେ, ୧୨ ଅକ୍ଟୋବର ଯାଏଁ ଦେଶର ୧୮ଟି ପ୍ଲାଣ୍ଟରେ କୋଇଲା ଷ୍ଟକ ଶୂନ୍ ହୋଇଯାଇଥିଲା। ୨୬ ପ୍ଲାଣ୍ଟରେ ଗୋଟିଏ ଦିନର କୋଇଲା ଷ୍ଟକ୍ ଥିବାବେଳେ ୫ଟି ପ୍ଲାଣ୍ଟରେ ୭ଦିନ ଓ ୧୫ଟିରେ ୭ଦିନଠାରୁ ଅଧିକ ଷ୍ଟକ ଥିଲା।

ସୂଚନାଯୋଗ୍ୟ, କୋଲ ଇଣ୍ଡିଆ ଲିମିଟେଡ୍ ଚଳିତବର୍ଷ କୋଇଲା ଉତ୍ପାଦନରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ଗତ ଅଗଷ୍ଟ ମାସ ସୁଦ୍ଧା କୋଲ ଇଣ୍ଡିଆ ୨୪୯.୮ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଛି। ଯାହା ଗତବର୍ଷ ସମାନ ସମୟ ଉତ୍ପାଦନଠାରୁ ୧୩.୮ ମିଲିୟନ ଟନ୍ ଅଧିକା।

ସରକାରଙ୍କ କହିବା କଥା ହେଲା, କରୋନାର ଦ୍ବିତୀୟ ଲହର ପରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ବିଦ୍ୟୁତ ଚାହିଦା ବଢ଼ିଯାଇଛି। ସେପଟେ ବିଦେଶରେ କୋଇଲା ମୂଲ୍ୟ ବୃଦ୍ଧି ଯୋଗୁଁ ଆମଦାନୀ ହ୍ରାସ ପାଇଛି। ଏହାବାଦ କୋଇଲା ଖାଦନ ଆଖପାଖରେ ବର୍ଷା ହେବା କାରଣରୁ ଉତ୍ପାଦନ ପ୍ରଭାବିତ ହୋଇଛି।

ତଥାପି ସରକାରଙ୍କୁ ଏହା ଉପରେ ନଜର ରଖି ତୁରନ୍ତ ସମାଧାନର ବାଟ ବାହାର କରିବା ଉଚିତ୍। ନହେଲେ ଚୀନ୍ ଭଳି ଏଠାରେ ମଧ୍ୟ ସ୍ଥିତି ହୋଇପାରେ। କୋଇଲା ସଙ୍କଟ ଚୀନକୁ ଏମିତି ଘାରିଛି ଯେ, ଜିନ୍ ପିଙ୍ଗ ସରକାରଙ୍କୁ ବିଦ୍ୟୁତ ବ୍ୟବହାର ଉପରେ କଟକଣା ଲଗାଇବାକୁ ପଡ଼ିଲା। ଫଳରେ ବହୁ କମ୍ପାନୀରେ ଉତ୍ପାଦନ ପ୍ରଭାବତି ହେବାରେ ଲାଗିଛି। ଏପରିକି କିଛି ଇଣ୍ଟର ନ୍ୟାସନାଲ କମ୍ପାନୀ ଚୀନରୁ ପେଡି ପୁଟୁଳି ବାନ୍ଧି ପଳାଇ ଯିବାକୁ ଯୋଜନା ଆରମ୍ଭ କରିଦେଲେଣି।

Latest Posts

Don't Miss