ଗୁଜରାଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣା; ମୃତକଙ୍କ ମଧ୍ୟରେ ରହିଛନ୍ତି ମାଲିକ

1 min read

ରାଜକୋଟ: ଗୁଜରାଟ ରାଜକୋଟସ୍ଥିତ ଟିଆରପି ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ମାଲିକ ପ୍ରକାଶ ହିରାନଙ୍କ ମୃତ୍ୟୁ ଘଟିଛି।

ଡିଏନଏ ଟେଷ୍ଟିଂରୁ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣାସ୍ଥଳରୁ ମିଳିଥିବା ସାମ୍ପଲ ସହ ଡିଏନଏ ମ୍ୟାଚ୍ କରିଥିବା ନେଇ ସୂଚନା ଦେଇଛନ୍ତି ପ୍ରକାଶଙ୍କ ମା’ । ଏହି ଗେମିଂ ଜୋନର ଜଣେ ମୁଖ୍ୟ ଶେୟାର ହୋଲ୍ଡର ଥିଲେ ପ୍ରକାଶ । ତେବେ ଅଗ୍ନିକାଣ୍ଡ ସମୟରେ ଘଟଣାସ୍ଥଳରେ ପ୍ରକାଶ ଥିବାନେଇ ସିସିଟିଭି ଫୁଟେଜରୁ ଜଣାପଡିଛି ।

ତେବେ ପ୍ରକାଶଙ୍କ ଭାଇ ପୋଲିସ ସହ ଆଲୋଚନା କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଜିତେନ୍ଦ୍ର ହିରାନଙ୍କ କହିବାନୁଯାୟୀ, ଏହି ଦୁର୍ଘଟଣା ପରଠାରୁ ପ୍ରକାଶଙ୍କ ଖୋଜଖବର ମିଳିନଥିବା ବେଳେ ତାଙ୍କ ଫୋନ୍ ସୁଇଚଅଫ୍ ଦେଖାଉଥିଲା । ଏପରିକି ତାଙ୍କ କାର୍ ଅଗ୍ନିକାଣ୍ଡ ହୋଇଥିବା ପାଖରେ ଦେଖିବାକୁ ମିଳିଥିଲା । ଅପରପକ୍ଷେ ଜିତେନ୍ଦ୍ରଙ୍କ ସୂଚନା ପରେ ପରିବାର ବର୍ଗଙ୍କ ଡିଏନଏ ସାମ୍ପଲ୍ ଗ୍ରହଣ କରାଯାଇଥିଲା । ଯାହାପରେ ମୃତ ବ୍ୟକ୍ତିଙ୍କ ସହ ଡିଏନଏ ମ୍ୟାଚ୍ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ଘଟିଛି । ୬ ଜଣଙ୍କ ନାମରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା, ଯେଉଁଥିରେ ପ୍ରକାଶଙ୍କ ନାମ ମଧ୍ୟ ସାମିଲ ଥିଲା । ସେପଟେ ଏହି ଘଟଣାରେ ଗୁଜରାଟ ସରକାର ୬ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ବଦଳି କରିଛନ୍ତି। ବଦଳି ହୋଇଥିବା ଅଫିସରଙ୍କ ମଧ୍ଯରେ ରହିଛନ୍ତି ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ। ଏହି ଭୟାନକ ଘଟଣାରେ ରାଜ୍ଯ ସରକାରଙ୍କୁ ଗୁଜରାଟ ହାଇକୋର୍ଟ ଭର୍ତ୍ସନା କରିବା ପରେ ପରେ ଏହି ବଦଳି କରାଯାଇଛି।

ମେ ୨୫ ତାରିଖରେ ରାଜକୋଟର ନାନା-ମାଭା ଅଞ୍ଚଳରେ ଥିବା ଟିଆରପି ଗେମ ଜୋନରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଘଟଣାରେ ଏଯାବତ୍ ଅନେକ ଶିଶୁଙ୍କ ସମେତ ୨୭ ଜଣଙ୍କ ପ୍ରାଣ ଯାଇଛି।