ପୁଣି ବଢ଼ିଲା ସିଏନଜି ଦର, ମାସକରେ ବୃଦ୍ଧି ପାଇଲାଣି ୧୦ ଟଙ୍କା ୫୦ ପଇସା

ଭୁବନେଶ୍ୱର: ପୁଣି ବଢ଼ିଲା ସିଏନଜି ମୂଲ୍ୟ । କିଲୋଗ୍ରାମ ପିଛା ୨ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦର ବୃଦ୍ଧି ପରେ ଭୁବନେଶ୍ୱରରେ ସିଏନଜି କେଜି ପିଛା ୮୬ ଟଙ୍କା ୧୩ ପଇସାରୁ ୮୮ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି । ମାସକରେ ସିଏନଜି ୩ ଥରରେ ୧୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଏପ୍ରିଲ ପହିଲାରେ ୩ ଟଙ୍କା ବୃଦ୍ଧି ପାଇଥିବାବେଳେ ୧୬ ତାରିଖରେ ୫ ଟଙ୍କା ଓ ଆଜି ପୁଣି କିଲୋ ପିଛା ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଦରବୃଦ୍ଧି ସାଙ୍ଗକୁ ସିଏନଜିର ଅଭାବ ଯୋଗୁଁ ଗାଡ଼ି ଚାଳକଙ୍କୁ ଖାସ କରି ଅଟୋ ଚାଳକ ଅସୁବିଧାରେ ପଡ଼ୁଛନ୍ତି । ଗେଲ୍ ଇଣ୍ଡିଆ କର୍ତ୍ତୃପକ୍ଷ ଗ୍ୟାସ ଯୋଗାଣରେ ବିଫଳ ହୋଇଛନ୍ତି । ଗ୍ୟାସ ଅଭାବ ଯୋଗୁଁ ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ ଫିଲିଙ୍ଗ୍ ଷ୍ଟେସନରେ ଗାଡ଼ିଗୁଡିକର ଲମ୍ବା ଲାଇନ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଥିବା ୭ଟି ଗ୍ୟାସ ଫିଲିଙ୍ଗ ଷ୍ଟେସନ ମଧ୍ୟରୁ ୪ଟି ବିଭିନ୍ନ କାରଣରୁ ବନ୍ଦ ଥିବା ବେଳେ ମାତ୍ର ୩ଟି ଚାଲୁରହିଛି । ଏଥିପାଇଁ ରାଜଧାନୀରେ ସିଏନଜି ଗ୍ୟାସର କୁତ୍ରିମ ଅଭାବ ସୃଷ୍ଟି ହୋଇଛି।