spot_img

Latest Posts

ଟୁଇଟର ୨୦ ମିନିଟ ଭିତରେ ଆଶୁତୋଷଙ୍କୁ ସାହଯ୍ୟ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର: ଦିଲ୍ଲୀରୁ ଟୁଇଟ, ଓଡ଼ିଶାରେ ଆକ୍ସନ । ବ୍ରେନ୍ ଟ୍ୟୁମରରେ ପୀଡ଼ିତ ୭ ବର୍ଷର ଆଶୁତୋଷକୁ ଶାହା ହେଲା ସିଏମଓ ଅଫିସ । ଟୁଇଟ୍‌ ହେବାର ୨୦ ମିନିଟ୍ ଭିତରେ ରାସନ କାର୍ଡରେ ଯୋଡାଗଲା ନାଁ । ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ୍ ରହସୋଇ ଗାଁର କିଶୋର ପଣ୍ଡା ଓ ବିଶ୍ଵ ମୋହିନୀ ନନ୍ଦଙ୍କ ପୁଅ ଆଶୁତୋଷ । କିଶୋର ଏକ ବିମା କମ୍ପାନୀରେ କାମ କରନ୍ତି । ସ୍ଵଳ୍ପ ରୋଜଗାର ଭିତରେ ପୁଅ ଆଶୁତୋଷର ବ୍ରେନ୍ ଟ୍ୟୁମର ତାଙ୍କୁ ଦୋହଲାଇ ଦେଇଥିଲା ।

ବ୍ରେନ୍ ଟ୍ୟୁମର ଖବର ସୋସିଆଲ ମିଡିଆରେ ବୁଲୁଥିଲା । ସମସ୍ତେ ଆରୋଗ୍ୟ କାମନା ନେଇ ଫଟୋ ପୋଷ୍ଟ କରୁଥିଲେ । ହେଲେ ଖବର ପହଞ୍ଚି ପାରିନଥିଲା ପ୍ରକୃତ ଫୋରମରେ । ଦିଲ୍ଲୀର ଜଣେ ଓଡ଼ିଆ ଯୁବକ ଯାଜପୁର ବିଞ୍ଝାରପୁରର ଅହମ୍ମଦ ଅଲ୍ଲୀ ଖାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ କରିଥିଲେ । ସଙ୍ଗେ ସଙ୍ଗେ ଆରମ୍ଭ ହୋଇଥିଲା ଆକ୍ସନ । ମାତ୍ର ୨୦ ମିନିଟ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଟୁଇଟ ଦେଖି ଲାଗି ପଡ଼ିଥିଲେ କାମରେ ।

ଟୁଇଟରେ ଲେଖା ଥିଲା କି ଆଶୁତୋଷ ପଣ୍ଡାଙ୍କ ନାମ ନାହିଁ ରାସନ କାର୍ଡରେ । ସେ ବ୍ରେନ୍ ଟ୍ୟୁମରରେ ପୀଡ଼ିତ । ତାଙ୍କ ବାପା, ମାଙ୍କ ନାମରେ ରାସନ କାର୍ଡ ଅଛି । କିନ୍ତୁ ପୁଅର ନାଁ ନାହିଁ । ସେ ଅବହେଳା ହେଉ କି ଅଣଦେଖା ହେଉ, ଯେ କୌଣସି କାରଣରୁ ବାଦ୍ ପଡୁନା କାହିଁକି, ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରାଯାଇ ଅବଗତ କରାଯିବା ସହିତ ତୁରନ୍ତ ଆଶୁତୋଷଙ୍କ ନାଁ ଯୋଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଇ ତାଙ୍କ ନାଁ ରାସନ କାର୍ଡରେ ଯୋଡାଯାଇ ଥିଲା । ଏହାପରେ ବିଜୁ ସ୍ମାର୍ଟକାର୍ଡରେ ଦେଖାଇଥିଲା ଆଶୁତୋଷଙ୍କ ନାଁ । ଏବେ ଏମ୍ସରେ ଆଶୁତୋଷଙ୍କ ଚିକିତ୍ସା କରାଯାଉଛି । ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ପରିବାର ଓ ଟୁଇଟ କରିଥିବା ଯୁବକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଯୋଗାଯୋଗରେ ଅଛି ।

ଯଦି ଆବଶ୍ୟକ ପଡ଼େ ଆହୁରି ଅଧିକ ଚିକିତ୍ସା ଯୋଗାଇ ଦିଆଯିବା ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି । ଅହମ୍ମଦ ଅଲ୍ଲୀ ଖାନଙ୍କ ଟୁଇଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବାରୁ ଖୁସି ବ୍ୟକ୍ତ କରିବା ସହ ପରିବାର ଲୋକ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Latest Posts

Don't Miss