ବିରୋଧୀଙ୍କୁ ଘର ଭିତରକୁ ଡାକିଲେ, ସ୍ୱାଗତ କଲେ

ଭୁବନେଶ୍ୱର: ୬ ଦିନ ହେଲା ବିଧାନସଭା ଅଚଳ ଅଛି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିଧାନସଭା ଚାଲି ପାରୁନି । ବିଧାନସଭାରେ ଜାରି ଥିବା ଅଚଳାବସ୍ଥାକୁ ଦୁର କରିବା ପାଇଁ ଆଜି ବିଜେଡି ବିଧାୟକ ଲୋକସେବା ଭବନରୁ ଭିସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଏହାପରେ ବିଜେପି ପାଲଟା ରାଜନୈତିକ ଗୋଟି ଚାଳନା କରିଥିଲା । ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସକୁ ପଦଯାତ୍ରାରେ ବାହାରିଥିଲେ ।

ଏହି ସମୟରେ ବିଜେଡି ବିଧାୟକ ମଧ୍ୟ ବିଜେପି ନେତାଙ୍କ ସହିତ ନବୀନ ନିବାସକୁ ଯାଇଥିଲେ । ବିଜେପି ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ନବୀନ ନିବସ ପାଖରେ ପହଞ୍ଚୁ ପହଞ୍ଚୁ ବିଜେପିର ରଣନୀତି ବଦଳି ଯାଇଥିଲା । ବିଜେପି ନେତା ନବୀନ ନିବାସ ଭିତରକୁ ନଯାଇ ହଠାତ ଗେଟ୍ ଆଗରେ ଧାରଣାରେ ବସି ପଡିଥିଲେ । ଯାହାକୁ ନେଇ ଅଚାନକ ପରିସ୍ଥିତି ବଦଳିଯାଇଥିଲା ।

ବିଜେପି ନେତା ଗେଟ୍ ଆଗରେ ବସି ରାଜନୈତିକ ସନ୍ଦେଶ ଦେବାକୁ ଚାହୁଁଥିଲେ । ଲାଗୁଥିଲା ବିଧାନସଭା ଅଚଳାବସ୍ଥା ଦୁର କରିବା ବିଜେପିର ଯେତିକି ଉଦ୍ଦେଷ୍ୟ ନୁହେଁ ତାହାଠାରୁ ଅଧିକ ଥିଲା ରାଜନୈତିକ ରୁଟି ସେକା । କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରୁ ଉପରକୁ ଉଠି ଏଭଳି କିଛି କରିଥିଲେ ଯାହା ବିଜେପିକୁ କ୍ୟାଚ୍ ୨୨ ପରିସ୍ଥିତିରେ ପକାଇଥିଲା । ନିର୍ଧୁମ ଖରା ଭିତରେ ବି ମୁଖ୍ୟମନ୍ତ୍ରୀ ଘରୁ ବାହାରକୁ ଆସି ବିଜେପି ନେତାଙ୍କ ସହିତ କଥା ହୋଇଥିଲେ । ସେମାନଙ୍କୁ ଖରାରେ ନବସି ଘର ଭିତରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଲୋଚନା ମାଧ୍ୟମରେ ଅଚଳାବସ୍ଥା ଦୁର କରିବାକୁ ନିବେଦନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦ୍ୟମ ପରେ ବିଜେପି ନେତାଙ୍କ ପାଖରେ ଧାରଣାରୁ ଉଠିବା ଛଡା ଅନ୍ୟବାଟ ନଥିଲା । ଧାରଣା ରାଜନୀତି ବୁମେରାଂ ହେବାକୁ ଯାଉଛି ଦେଖି ବିଜେପି ନେତା ନବୀନ ନିବାସ ମଧ୍ୟକୁ ଯାଇଥିଲେ ।

Leave a Reply