ଦୁଇଥର ଇସ୍ତଫା ଦେବାକୁ ଚାହୁଁଥିଲେ ଉଦ୍ଧବ, ମେଣ୍ଟର ଜଣେ ଶୀର୍ଷ ନେତା ଅଟକାଇଥିଲେ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ମନସ୍ଥ କରିଥିଲେ । ସେ ଦୁଇଥର ଇସ୍ତଫା ଦେବାକୁ ଚିନ୍ତା କରିଥିଲେ, କିନ୍ତୁ ଦୁଇଥର ଯାକ ମେଣ୍ଟ ନେତା ତାଙ୍କୁ ଅଟକାଇଥିଲେ । ଯେଉଁଦିନ ଏକନାଥ ସିନ୍ଦେ ନିଜ ସମର୍ଥକଙ୍କ ସହ ସୁରଟ ଯାଇଥିଲେ, ସେହିଦିନ ସନ୍ଧ୍ୟା ୫ଟାରେ ଫେସବୁକ ଲାଇଭରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ  । କିନ୍ତୁ ମହାବିକାଶ ଅଘାଡି ସରକାରର ଜଣେ ବରିଷ୍ଠ ନେତାଙ୍କ ଅନୁରୋଧ ପରେ ଇସ୍ତଫା ଦେଇନଥିଲେ  । ଏହି କାରଣରୁ ଫେସବୁକ୍ ଲାଇଭ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା  ।

ପୁଣିଥରେ ଦ୍ୱିତୀୟ ଦିନ ସନ୍ଧ୍ୟା ୪ଟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ  । ଏଥିପାଇଁ ସେ ସଚିବଙ୍କ ବୈଠକ ଡକାଇଥିଲେ, ଯାହାଫଳରେ ସେମାନଙ୍କୁ ଅନ୍ତିମ ଧନ୍ୟବାଦ ଦେଇପାରିବେ । କିନ୍ତୁ ମହାବିକାଶ ଅଘାଡିର ସେହି ନେତାଙ୍କୁ ଏବିଷୟରେ ଜଣାପଡିବା କ୍ଷଣି ସେ ବୁଝାଇଥିଲେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାରୁ ଅଟକାଇଥିଲେ  । ମହାବିକାଶ ଅଘାଡିର ସେହି ନେତା ଏନସିପି ସୁପ୍ରିମୋ ଶରଦ ପୱାର ହୋଇଥିବା କୁହାଯାଉଛି । ସୂଚନାଥାଉକି ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଗଲାଣି  । ଉପବାଚସ୍ପତିଙ୍କ ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କରିବା ନୋଟିସ୍ ଉପରେ କୋର୍ଟ ରୋକ ଲଗାଇଛନ୍ତି  । ଆସନ୍ତା ୧୧ ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି  । କୋର୍ଟଙ୍କ ଶୁଣାଣି ପରେ ବିଦ୍ରୋହୀ ବିଧାୟକଙ୍କୁ ଆଶ୍ୱସ୍ତି ମିଳିଛି  ।