‘ଗଞ୍ଜାମ ସ୍ଥିତି ସୁଧୁରିବା ପଛରେ ସରପଞ୍ଚମାନଙ୍କର ଉଲ୍ଲେଖନୀୟ ଭୂମିକା ରହିଛି ‘

ଭୁବନେଶ୍ୱର: ରାଜ୍ୟରେ ଗଞ୍ଜାମ କରୋନା ସଂକ୍ରମଣରେ ସବୁଠାରୁ ଆଗରେ । ତେବେ ସରକାରଙ୍କ ସ୍ପେଶାଲ ଫୋକସ୍ ଗଞ୍ଜାମକୁ ଯିବା ପରେ ସ୍ଥିତି କ୍ରମାଗତ ଭାବେ ସୁଧୁରିବାରେ ଲାଗିଛି । ଏହି କୋଭିଡ୍ ମୁକାବିଲା ପ୍ରକ୍ରିୟାରେ ସରପଞ୍ଚମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ସରପଞ୍ଚମାନଙ୍କ ଏହି ସେବାକୁ ପ୍ରଶଂସା କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିଛନ୍ତି ।  ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ହିଞ୍ଜିଳି ଓ ସାନଖେମୁଣ୍ଡି ବ୍ଲକର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ସାନଖେମୁଣ୍ଡି ବ୍ଲକ  ପୋଡାମାରୀ ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀଙ୍କ ସହ ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ  କୋରନା ବିଷୟରେ ଆଲୋଚନା କରିଥିଲେ । ତେବେ ଏହି ଅବସରରେ ସରପଞ୍ଚମାନେ ତୃଣମୂଳସ୍ତରରେ କରୋନାକୁ ନେଇ ଥିବା ସମସ୍ୟା ଓ ପରିଚାଳନାଗତ ତ୍ରୁଟି ସମର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

ଏହାବ୍ୟତୀତ କିଭଳି ଭାବେ ଅଧିକ ସକ୍ରିୟ ଭାବେ କରୋନା ମୁକାବିଲା କରିହେବ ଓ କେଉଁ କେଉଁ ପଦକ୍ଷେପ କରୋନା ସଂକ୍ରମଣକୁ ରୋକିବା ଦିଗରେ ଫଳପ୍ରଦ ସାବ୍ୟସ୍ତ ହେବ ସେନେଇ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅଙ୍ଗନୱାଡ଼ୀ କର୍ମୀ, ଆଶା କର୍ମୀ ଓ ସରପଞ୍ଚମାନଙ୍କର କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରିଥିଲେ । କହିଥିଲେ ଯେ, ସରପଞ୍ଚମାନେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍, ସଟଡାଉନ୍ ଓ କଣ୍ଟେନମେଣ୍ଟ ଜୋନ ପରି ସବୁ ପ୍ରକାର ସମୟସାପେକ୍ଷ ପଦକ୍ଷେପ ନେଇଛନ୍ତି । କୋଭିଡ୍ କେୟାର ହୋମ୍ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କ୍ୟାମ୍ପରେ ସରପଞ୍ଚମାନଙ୍କ ଭୂମିକ ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ରହିଛି ।

ସରପଞ୍ଚମାନଙ୍କର ଏଭଳି ପ୍ରଶଂସନୀୟ ଉଦ୍ୟମ ଆଗାମୀ ଦିନରେ ଦେଶରେ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ସେହିଭଳି ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କମିବା ପଛରେ ମଧ୍ୟ ସରପଞ୍ଚଙ୍କ ଉଲ୍ଲେଖନୀୟ ଭୂମିକା ରହିଛି ଓ ଆଗାମୀ ଦିନରେ ଏହି କୋଭିଡ୍ ଯୋଦ୍ଧାମାନେ ସକ୍ରିୟ ଭାବେ କାମ କଲେ ଜିଲ୍ଲା କରୋନା ମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ବିଜୁ ପଟ୍ଟନାୟକଙ୍କ ଅମଳରେ ପଞ୍ଚାୟତର ଗୁରୁତ୍ୱ ବଢିବା ସହ ବ୍ୟବସ୍ଥାରେ କ୍ଷମତାର ବିକେନ୍ଦ୍ରୀକରଣ ହେବା ସମ୍ଭବପର ହୋଇ ପାରିଛି ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଜଙ୍ଗଲ ଓ ପରିବେଶ କଲ୍ୟାଣ ମନ୍ତ୍ରୀ ବକ୍ରମ କେଶରୀ ଆରୁଖ୍ ଉପସ୍ଥିତ ରହି ରାଜ୍ୟ ସରକାରପଙ୍କ ଗଞ୍ଜାମ କୋଭିଡ଼ ମୁକାବିଲା ପଦକ୍ଷେପକୁ ପ୍ରଶଂସା କରିବା ସହ ସରପଞ୍ଚମାନଙ୍କ ଅବଦନା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଉଲ୍ଲେଖଯୋଗ୍ୟ ଯେ କରୋନା ସମୟରେ କରୋନା ମୁକାବିଲାକୁ ତୃଣମୂଳସ୍ତରରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିଲେ । ଏହି କ୍ଷମତା ଆଧାରରେ ଅନେକ ସରପଞ୍ଚମାନେ ନିଜ ନିଜ ପଞ୍ଚାୟତର କରୋନା ସଂକ୍ରମିତ ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ପରିବର୍ତ୍ତିତ କରିଥିଲେ । ସେହିଭଳି ସେମାନଙ୍କ ଉପରେ ସଟଡାଉନ୍, ଲକଡାଉନ୍ ଓ  କୌଣସି ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖିବାର ଦାୟିତ୍ୱ ମଧ୍ୟ ନ୍ୟସ୍ତ ଥିଲା ।

Leave a Reply