ମୁକ୍ତା ଯୋଜନାରେ ଆଉ ୨୨୫.୫୩ କୋଟି ଟଙ୍କା ମଞ୍ଜୁରୀ, ୧୦ ଜିଲ୍ଲାର ୩୬ ପୌରାଞ୍ଚଳ ପାଇଁ ଅର୍ଥ ମଞ୍ଜୁରୀ

1 min read

ଭୁବନେଶ୍ୱର: ମୁକ୍ତା ଯୋଜନାରେ ଚଳିତ ଆର୍ଥିକବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ୩୬ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୨୨୫.୫୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩-୨୪ ବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ମଞ୍ଜୁର କରାଯାଇଛି ।

ଏହି ୧୦ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ । ମୁକ୍ତା ଯୋଜନାରେ ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ପ୍ରକଳ୍ପଗୁଡ଼ିକ ଏସଏଚଡି, ଏସଡିଏ ଏବଂ ସ୍ଥାନୀୟ ଗୋଷ୍ଠୀ ଦ୍ବାରା କାର୍ଯ୍ୟକାରୀ ହେବ।

ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁନ ୯ରେ ଜନ ପ୍ରତିନିଧିମାନଙ୍କ ସହ 5T ସଚିବ ଭିକେ ପାଣ୍ଡିଆନ ଆଲୋଚନା କରିଥିଲେ । ଏହି ପ୍ରକଳ୍ପରେ ମିନି ପାର୍କ, ଓପନ୍ ଜିମ୍, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ୍ ରହିଛି । ବହୁମୁଖୀ କମ୍ୟୁନିଟି ସେଣ୍ଟର, ୱାଲ ପେଣ୍ଟିଂ, ସୌନ୍ଦର୍ଯ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ୨୦୨୦ ଏପ୍ରିଲ ୧୮ରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ଗରିବ ଓ ବେରୋଜଗାରଙ୍କୁ କାମ ଦେବା ଲକ୍ଷ୍ୟରେ ଏହି ଯୋଜନା ହୋଇଥିଲା । ପୂର୍ବରୁ ୪୨ ମ୍ୟୁନିସିପାଲିଟି ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ୧୮୩ କୋଟି ୮୧ ଲକ୍ଷ ଟଙ୍କା ଓ ୩୭ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨୩ କୋଟି ୮୭ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ ।