ବିଏସକେଓ୍ବାଇରେ ଚିକିତ୍ସା ସେବା; ସରକାରଙ୍କ ସହ ୫ ଶହ ଘରୋଇ ହସପିଟାଲ ଅନୁବନ୍ଧିତ

ଭୁବନେଶ୍ୱର: ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା । ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ)କୁ ସର୍ବାଧିକ ଫୋକସ କରୁଛନ୍ତି । ଏ ଯୋଜନାର ସୁଫଳ ଲୋକ ପାଉଛନ୍ତି । ଏହି ସାମାଜିକ ସୁରକ୍ଷା ଯୋଜନାରେ ବିଜୁ ସ୍ମାର୍ଟ କାର୍ଡ ଜରିଆରେ ରାଜ୍ୟର ୫ ଲକ୍ଷ ୪୫ ହଜାର ୩୩୯ ଜଣ ହିତାଧିକାରୀ ମାଗଣା ଚିକିତ୍ସା ସେବା ପାଇଛନ୍ତି ।

ଏ ବାବଦରେ ରାଜ୍ୟ ସରକାର ୧୧୯୧ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିଛନ୍ତି । ବିଏସକେଓ୍ବାଇର କାର୍ଯ୍ୟକାରିତାକୁ ନେଇ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେଓ୍ବାଇ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଜି ଏକ ସମୀକ୍ଷା ବୈଠକ କରିଥିଲେ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବିଏସକେଓ୍ବାଇରେ ମାଗଣା ଚିକିତ୍ସା ସେବା ଯୋଗାଇବାକୁ ୫ ଶହ ଘରୋଇ ହସପିଟାଲ ସହ ଅନୁବନ୍ଧିତ ହୋଇଛନ୍ତି ।

ରାଜ୍ୟ ବାହାରର ୯୮ଟି ହସପିଟାଲରେ ମଧ୍ୟ ସ୍ମାର୍ଟକାର୍ଡଧାରୀଙ୍କୁ ମିଳୁଛି ଚିକିତ୍ସା ସେବା । ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩ କୋଟି ହିତାଧିକାରୀଙ୍କୁ ବିଏସକେଓ୍ବାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଛି । ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷର ଚିକିତ୍ସା ସେବା ମିଳୁଛି । ସରକାରୀ ହସପିଟାଲ ସହ ସରକାରଙ୍କ ସହ ଅନୁବନ୍ଧିତ ହୋଇଥିବା ଘରୋଇ ହସପିଟାଲରେ ଏ ଚିକିତ୍ସା ସେବା ମିଳୁଛି ।

ମହିଳାମାନଙ୍କ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷର ଚିକିତ୍ସା ସେବା ମିଳୁଛି । ଟାଟା ମେମେରିଆଲ ହସପିଟାଲ, ସିଏମସି ଭେଲୋର, ଶ୍ରୀ ଶଙ୍କର କ୍ୟାନସର ହସପିଟାଲ ବାଙ୍ଗାଲୋର, ନାରାୟଣ ହୃଦାଳୟ, ଫର୍ଟିସ, ଆପୋଲୋ ଭଳି ହସପିଟାଲରେ ମଧ୍ୟ ଉନ୍ନତ ମାନର ଚିକିତ୍ସା ମିଳିପାରୁଛି । ୧୭ଟି ରାଜ୍ୟରେ କାର୍ଡଧାରୀମାନେ ବିଏସକେଓ୍ବାଇରେ ମାଗଣା ଚିକିତ୍ସା ପାଇପାରୁଛନ୍ତି ।

ପ୍ରତି ମାସରେ ହାରାହାରି ୭୩ ହଜାର ରୋଗୀ ଏହି ସ୍ମାର୍ଟକାର୍ଡର ସୁବିଧା ପାଉଛନ୍ତି । ସରକାର ଏ ବାବଦକୁ ମାସିକ ୧୬୫ କୋଟି ଖର୍ଚ୍ଚ କରୁଛନ୍ତି । ଉପକୃତ ହୋଇଥିବା ସାେଢ଼ ୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଅଢ଼େଇ ଲକ୍ଷ ୫ ଲକ୍ଷ ଯାଏ ଚିକିତ୍ସା ସେବା ପାଇଛନ୍ତି । ୨୨୫ ଜଣ ମହିଳା ୫ ଲକ୍ଷରୁ ଅଧିକ ଏବଂ ୨୭ ଜଣ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସବେ ପାଇଛନ୍ତି ।