ମହାରାଷ୍ଟ୍ର ସିଏମ୍‌ ରେସ୍‌, ମହାୟୁତିରୁ ଆସିଲାଣି ଅଲଗା ଅଲଗା ବୟାନ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ ଗଣତିରେ ମହାୟୁତି ମେଣ୍ଟ ଏକତରଫା ଆଗକୁ ବଢି ଚାଲିଛି  । ଏବେ ବି ଗଣନା ଜାରି ରହିଛି  । କିନ୍ତୁ ଦ୍ବିପ୍ରହର ୧ଟା ସୁଦ୍ଧା ମହାୟୁତି ମେଣ୍ଟ ୨୨୦ରୁ ଅଧିକ ଆସନରେ ଆଗୁଆ ରହିଛି  । ମେଣ୍ଟ ମଧ୍ୟରେ ଏକାକୀ ବିଜେପି ୧୨୫ ଆସନରେ ଆଗୁଆ ଥିବାବେଳେ ୫୪ ଆସନ ସହ ଏକନାଥ ସିନ୍ଦେଙ୍କ ଶିବସେନା ଦ୍ବିତୀୟ ଓ ୩୮ ଆସନ ସହ ଅଜିତ ପାୱାରଙ୍କ ଏନସିପି ତୃତୀୟରେ ରହିଛି  ।

ମହାୟୁତିକୁ ବହୁମତ ମିଳିବା ପରେ ଏବେ ସିଏମ୍‌ ରେସ୍‌ ଆରମ୍ଭ ହୋଇଛି  ।ଗଣତି ଚାଲିଥିବାବେଳେ ଅଜିତ ପାୱାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ୨୫ ମିନିଟ ଧରି ଆଲୋଚନା କରିଛନ୍ତି  । ଏହା ପୂର୍ବରୁ ପାୱାରଙ୍କ ପତ୍ନୀ ଓ ଏନସିପି ସାଂସଦ ସୁନେତ୍ରା ପାୱାରଙ୍କ ବୟାନ ସାମନାକୁ ଆସିଥିଲା  । ସୁନେତ୍ରା କହିଥିଲେ ‘‘ଏହା ଏନସିପି, ମହାରାଷ୍ଟ୍ର ଜନତା ଓ ବାରାମତି ପାଇଁ ସୌଭାଗ୍ୟର ଦିନ ଅଟେ  । ମହାରାଷ୍ଟ୍ର ଜନତା ଯାହା ଚାହେଁ ମୁଁ ତାହା ଚାହୁଁଛି ଯେ ଅଜିତ ପାୱାର ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ  ’’।

ସେପଟେ ଏକନାଥ ସିନ୍ଦେଙ୍କ ଶିବସେନାରୁ ବୟାନବାଜି ଆରମ୍ଭ ହୋଇଯାଇଛି  । ନିର୍ବାଚନ ପୂର୍ବରୁ ଏହା ନିଷ୍ପତ୍ତି ହୋଇଥିଲା ଯେ ଯାହାର ଅଧିକ ସିଟ୍‌ ମୁଖ୍ୟମନ୍ତ୍ରୀ ସେହି ଦଳରୁ ବଛା ହେବେ  । ଏହି ପ୍ରଶ୍ନର ଉତ୍ତରରେ ସିନ୍ଦେ କହିଛନ୍ତି ସେଭଳି କିଛି ନିଷ୍ପତ୍ତି ହୋଇନାହିଁ  । ଅନ୍ତିମ ଫଳାଫଳ ଆସିବା ପରେ ସିଏମଙ୍କ ନାମ ସ୍ପଷ୍ଟ ହେବ  । ଏକନାଥ ସିନ୍ଦେଙ୍କ ବୟାନ ପୂର୍ବରୁ ଶିବସେନା ସାଂସଦ ନରେଶ ମହସ୍କେ ଏକନାଥଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି  ।