ଲୋକେ ଆସୁଛନ୍ତି, ହେଲେ ଲାଗୁନି ମୁଖ୍ୟମନ୍ତ୍ରୀଙ୍କ ଦରବାର; କୁଆଡ଼େ ଗଲା ଲୋକଙ୍କ ସରକାର ସ୍ଲୋଗାନ ?
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜନ ଅଭିଯୋଗ ଶୁଣାଣିକୁ ନେଇ ଦେଖିବାକୁ ମିଳିଲାନି ଜନ ଅସନ୍ତୋଷ । ୫ ମାସର ବିଜେପି ସରକାର ୫ ଥର ବି କରିପାରିନି ଜନ ଅଭିଯୋଗ ଶୁଣାଣି । କ୍ଷମତାକୁ ଆସିବା ମାତ୍ରେ ଘୋଷଣା କଲେ ଯେ, ପ୍ରତି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ଯମନ୍ତ୍ରୀ । ହେଲେ ସ୍ଥିତି ଏପରି ହେଲାଣି ଯେ ଏହା ଆଗକୁ ଚାଲିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଲାଣି । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅଧିକାଂଶ ସମୟ ବାତିଲ ହେବା ଯୋଗୁଁ ଅଭିଯୋଗ କରିବାକୁ ଆସୁଥିବା ଲୋକମାନେ ହଇରାଣ ହେଉଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ।
ଟେଣ୍ଟ ବନ୍ଧା ହୋଇକି ଅଛି, ବାରିକେଡ ବି ଲାଗିଛି । ଲାଗୁଛି ଏ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ । ହେଲେ ଏହାର ଦିନେ ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖବର ଆସୁଛି ଏଇ ସୋମବାର ଜନ ଅଭିଯୋଗ ଶୁଶାଣି ବାତିଲ । ଏହାରି ଭିତରେ ରାଜ୍ୟର ବିଜେପି ସରକାରକୁ ୫ ମାସ ପୂରିଛି । ୫ ମାସ ଭିତରେ ୫ ଥର ବି ହୋଇପାରିନାହିଁ ଜନ ଅଭିଯୋଗ ଶୁଣାଣି । ଜନତା ଅଛନ୍ତି ହେଲେ ଜନ ଶୁଣାଣି ହେଉନାହିଁ । ଫଳରେ ଆସୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି । କିଏ ମାଲକାନାଗିରି ତ କିଏ ପୁରୀ ଗୋପ ଅଞ୍ଚଳରୁ ଅବା ରାଜଧାନୀ ଉପଖଣ୍ଡରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିରାଶ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶୁଣାଣି କରିପାରୁ ନଥିବା ବେଳେ ମନ୍ତ୍ରୀମାନେ ମଧ୍ୟ ବିଜେପି କାର୍ଯ୍ୟାଳୟରେ ଶୁଣାଣି କରିବାର ବି ଦେଖିବାକୁ ମିଳୁନାହିଁ ।
ସୁର ମୁଦୁଲି । ଘର ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ । ରୋଗାକ୍ରାନ୍ତ ଯୋଗୁଁ ଠିକସେ ଚାଲି ବି ପାରୁନାହାନ୍ତି । ହେଲେ ବାରମ୍ବାର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ କରିବାକୁ ଆସି ନିରାଶ ହେଉଛନ୍ତି । ସେହିପରି ତ୍ରିଲୋଚନ ନାଥ ମହାରାଣାଙ୍କ ବୟସ ୮୧ ବର୍ଷ ଓ ଘର ଖଣ୍ଡଗିରି ଅଞ୍ଚଳରେ । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ ସାମିଲ ହୋଇ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ସମସ୍ୟା ଲାଗି ତାଙ୍କୁ ପାଲଟା ଜବାବ ମିଳିଛି । ଯାହାକୁ ନେଇ ସେ ଅସନ୍ତୋଷ ଜାହିର କରିଛନ୍ତି ।
ବିଜେପି ସରକାରଙ୍କ ଘୋଷଣା ଓ ବାସ୍ତବତା ନେଇ ୫ ମାସରେ ଓଲଟା ଗତିରେ ଚାଲୁଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ଜନ ଅଭିଯୋଗ ଶୁଣାଣି ଠିକସେ ହେଉ ନଥିବାରୁ ଲୋକେ ହଇରାଣ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଜନଶୁଣାଣିକୁ ଅଧିକ ଗୁରୁତ୍ବ ଦେବାକୁ କଂଗ୍ରେସ ବିଧାୟକ ଦାବି କରିଛନ୍ତି । ସେହିପରି ଜନଶୁଣାଣିକୁ କେବଳ ପ୍ରଚାର ସର୍ବସ୍ବ କରି ବିଜେପି ସରକାର ବାହାଦୁରୀ ନେବାକୁ ଯୋଜନା କରିଥିଲା । ଜନତା କିପରି ଜନଶୁଣାଣିରେ ଉପକୃତ ହେବେ ସେ ନେଇ ସରକାରଙ୍କ ଚିନ୍ତା ନାହିଁ ବୋଲି ବିଜେଡି କହିଛି । ବିଜେଡି ବିଧାୟକ ସାରଦା ଜେନା ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅଧିକାଂଶ ସମୟ ବାତିଲ ହେଉଥିବାରୁ ରାଜ୍ୟର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଜଣେ ଉପମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିର ଦାୟିତ୍ବ ନେବାକୁ ସେ ପ୍ରସ୍ତାବ ଦେଇଛନ୍ତି । ବିଜେପି କିନ୍ତୁ ଅଭିଯୋଗ ଶୁଣାଣିକୁ ନେଇ ଭିନ୍ନ ଯୁକ୍ତି ବାଢିଛି ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଓ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସଠିକ ଭାବେ ହୋଇପାରୁ ନଥିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତା’ଠୁ ବଳିଯାଇଛି ଅଭିଯୋଗ ସମାଧାନ ବାଟ ତ୍ବରିତ ନହେବା । ତେବେ ପ୍ରଚାର ନୁହେଁ, ଜନତାଙ୍କ ସେବା ପାଇଁ ପ୍ରକୃତ ଜନଶୁଣାଣି କରିବାକୁ ସବୁ ମହଲରେ ଦାବି ହୋଇଛି । ଆଗକୁ ସରକାର ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିଛି ।