ଦୁବାଇ ପରେ ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ଉଡ଼ିବ ବିମାନ, ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଟିକେଟ ବିକ୍ରିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରକୁ ଯୋଗାଯୋଗ ସହଜ ଓ ସୁଲଭ ହେବ । ଲୋକଙ୍କ ସ୍ବାର୍ଥ ରକ୍ଷା କରି ଆନ୍ତର୍ଜାତିକ ବିମାନ ଚଳାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଜୁନ ୩ ତାରିଖରୁ ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ଚାଲିବ ଇଣ୍ଡିଗୋ ବିମାନ । ମେ ୧୫ ତାରିଖରୁ ଦୁବାଇକୁ ଚାଲିବ ବିମାନ ଏବଂ ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ ଟିକେଟ ବୁକିଂର ଶୁଭାରମ୍ଭ କରିଥିଲେ । ଏହାଦ୍ବାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ । ଏଥିସହିତ ଆଇଟି କ୍ଷେତ୍ରର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୁବାଇ, ସିଙ୍ଗାପରୁ ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ଦ୍ବାରା ଏସିଆ ମହାଦେଶର କସମୋପଲିଟାନ ସହର ସହ ଓଡ଼ିଶା ଯୋଡ଼ିହେବ । ପୂର୍ବରୁ ଭୁବନେଶ୍ବରକୁ ଦେଶର ବିଭିନ୍ନ ସ୍ଥାନକୁ ଏୟାର କନେକ୍ଟିଭିଟି ବୃଦ୍ଧି ପାଇଥିବା ବେଳେ ଏବେ ଆନ୍ତର୍ଜାତିକ ବିମାନ ଟ୍ରାଫିକରେ ମଧ୍ୟ ବୃଦ୍ଧି ଘଟିଛି ।

ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସୁଯୋଗ ସୃଷ୍ଟି କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ବିମାନ ସେବା ପାଇଁ ବଜେଟରେ ୧୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି । ଓଡ଼ିଶାବାସୀ ସୁଲଭ ମୂଲ୍ୟରେ ବିଦେଶ ଯାତ୍ରା ପାଇଁ ରାଜ୍ୟ ସରକାର ଆର୍ଥିକ ସହଯୋଗ କରୁଛନ୍ତି । ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଦ୍ବାରା ଓଡ଼ିଶା ଏବେ ଗଲ୍ଫ ଓ ୟୁରୋପୀୟ ରାଷ୍ଟ୍ର ସହ ଯୋଡ଼ି ହୋଇପାରିଛି । ବର୍ତ୍ତମାନ ମାତ୍ର ଦୁଇରୁ ଅଢ଼େଇ ଘଣ୍ଟାର ଯାତ୍ରାରେ ଦେଶର ବହୁ ରାଷ୍ଟ୍ର ସହ ରାଜ୍ୟ ରାଜଧାନୀ ଯୋଡ଼ି ହୋଇପାରିଛି । ଭୁବନେଶ୍ବରରୁ ଦୁବାଇ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଉଡିବ । ଏକପାଖିଆ ବିମାନ ଯାତ୍ରା ପାଇଁ ଫେୟାର ୧୦ ହଜାର ଟଙ୍କା ଥିବା ବେଳେ ଉଭୟ ପକ୍ଷର ଯାତ୍ରା ପାଇଁ ୨୦ ହଜାର ଟଙ୍କା ଫେୟାର ରହିଛି । ସେହିଭଳି ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍ଗକକକୁ ଫେୟାର ସାଢେ ୭ ହଜାର ଓ ୧୫ ହଜାର ଟଙ୍କା । ସପ୍ତାହର ପ୍ରତି ମଙ୍ଗଳବାର ଓ ଶନିବାର ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଉଡ଼ିବ ।