ମମିତା ମେହେର ପ୍ରସଙ୍ଗ : ‘ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି’

1 min read

ଭୁବନେଶ୍ୱର: ମମିତା ମେହେର ମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହି ଘଟଣା ମୋତେ ଗଭୀର ଭାବେ ବ୍ୟଥିତ କରିଛି  । ଏହି ଘଟଣାର ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ତଦନ୍ତ ହେବ  । ଆଇନ ତା ବାଟରେ ଯିବ, ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ ଯିଏ ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ଶୁକ୍ରବାର ବିଧାନସଭାରେ ଏମିତି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବିଧାନସଭାରେ ଲଗାତର ଅଚଳ ରହୁଥିବାନେଇ ମୁଖ୍ୟମନ୍ତ୍ରୀ ବିବୃତିରେ କହିଲେ, ଏ ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି  । ଏହା ଅତ୍ୟନ୍ତ ଦୁଃଖ ଦାୟକ  ।

ମୁଖ୍ୟମନ୍ତ୍ରୀ ଭାବେ ସବୁବେଳେ ମହିଳା ଓ ଦୁର୍ବଳ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଁ ସଂକଳ୍ପବଦ୍ଧ  । ମମିତା ମେହେର ଘଟଣାରେ ନିରପେକ୍ଷ ତଦନ୍ତର ଅନୁଧ୍ୟାନ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କୁ ଦାୟିତ୍ୱ ଦିଆଯାଇଛି  । ଏପରିକି ଏନେଇ ମୋ ସରକାର ଜଣେ ବିଚାରପତିଙ୍କୁ ତଦନ୍ତ ପକ୍ରିୟା ଅନୁଧ୍ୟାନ କରିବା ପାଇଁ ନିଯୁକ୍ତ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲା । ଏହାସ୍ୱତେ ମଧ୍ୟ ବିରୋଧୀ ବିଧାୟକ ଜଣେ ସଦସ୍ୟଙ୍କୁ ଗୃହକୁ ପ୍ରବେଶ ନକରାଇଦେବା ଉକ୍ତ ସଦସ୍ୟଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି  ।  ପୋଲିସ ସମ୍ପୂର୍ଣ୍ଣ ଚାପମୁକ୍ତ ହୋଇ ପକ୍ଷପାତିତା ନକରି ତଥ୍ୟ ଓ ପ୍ରମାଣ ଆଧାରରେ ନିର୍ଭୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି  । ମହିଳା ଅପରାଧ କ୍ଷେତ୍ରରେ ଦୋଷୀ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ମୁଁ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଛି  ।

ଯେକୌଣସି ମାମଲାରେ ପୋଲିସ ଯଦି ତଦନ୍ତରେ ଅବହେଳା କରିଛି, ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  । ମୁଖ୍ୟମନ୍ତ୍ରୀ କହିଛନ୍ତି, ଅତୀତରେ ମହିଳା ହିଂସା ସମ୍ପର୍କିତ ସମ୍ବେଦନଶୀଳ ମାମଲା ସିବିଆଇ କିମ୍ବା ହାଇକୋର୍ଟଙ୍କ ଅନୁଧ୍ୟାନରେ ତଦନ୍ତ କରାଯାଇଛି  । ରାଜ୍ୟ ପୋଲିସର ତଦନ୍ତରେ  କାହାକୁ ଅନୁକମ୍ପା ଦେଖା ଯାଇନାହିଁ ବୋଲି ସମ୍ପୃକ୍ତ ସଂସ୍ଥା ନିଜ ତଦନ୍ତ ରିପୋର୍ଟରେ ପ୍ରକାଶ କରିଛନ୍ତି ।  ଗୃହରେ ବିରୋଧୀ ବିଧାୟକମାନେ ଯେଉଁଭଳି ଢଙ୍ଗରେ ଏହି ଘଟଣାକୁ ରାଜନୀତିର ରଙ୍ଗ ଦେଉଛନ୍ତି, ତାହା ମୋତେ ମର୍ମାହତ କରିଛି  । ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା, ମହାମାରୀ କରୋନା ମୁକାବିଲା  ନେଇ ବେଶ ଚାପରେ ଅଛନ୍ତି  । ଏହା ଛଡ଼ା ଚାଷୀ ପ୍ରସଙ୍ଗ, ଚାଉଳ ଉଠାଣରେ FCIର ମନମାନୀ, କେବିକେ ଓ ଆଦିବାସୀ ଜିଲ୍ଲାକୁ କେନ୍ଦ୍ର ଘର ଯୋଗାଣରେ ବାଧା ଦେଉଛି  । ସେପଟେ ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସର ଦୁଇ ଗୁଣା ଦର ସହ ରାଜ୍ୟକୁ କେନ୍ଦ୍ରୀୟ ପାଣ୍ଠି ହ୍ରାସ ସାଧାରଣ ଲୋକଙ୍କୁ ବେସ ପ୍ରଭାବିତ କରୁଛି  । ଏସବୁ ପ୍ରସଙ୍ଗରେ ବିରୋଧୀ ବିଧାନସଭାରେ ଆଲୋଚନା କରିବା ବଦଳରେ ଶସ୍ତା ରାଜନୀତିରେ ମାତିଛନ୍ତି  ।

ମୋ ସରକାରକୁ ଓଡ଼ିଶାବାସୀ ସର୍ବଦା ଊରସା, ସମର୍ଥନ ଓ ଆଶୀର୍ବାଦ ଦେଇ ଆସିଛନ୍ତି  । ମମିତା ମେହେର ପରିବାରକୁ ସରକାର ନ୍ୟାୟ ଦେବେ, ଏନେଇ ମୁଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି  । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ମମିତାର ବାପା-ମାଆ ମଧ୍ୟ ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି  । ସରକାରଙ୍କ ସଠିକ ତଦନ୍ତ ଏବଂ ପରିବାରର ଅନୁରୋଧ ସ୍ୱତେ ମଧ୍ୟ ବିରୋଧି ଦଳ ଗୁଡ଼ିକ ମମିତା ମେହେର ମୃତ୍ୟୁ ଘଟଣାକୁ ରାଜନୀତିର ରଙ୍ଗ ଦେବାରେ ଅବହେଳା କରୁନାହାଁନ୍ତି  । ଯାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

Leave a Reply