ବନ୍ୟା ପ୍ରଭାବିତଙ୍କୁ ପରିବାର ପିଛା ୫୦ କେଜି ଚାଉଳ ଓ ୫ଶହ ଟଙ୍କା

1 min read

ଭୁବନେଶ୍ୱର: ରାଜ୍ୟରେ କିଛି ଦିନର ଲଗାଣ ବର୍ଷାରେ ଯୋଗୁଁ ଅଧା ଓଡ଼ିଶା ଏବେ ଜଳମଗ୍ନ । କେଉଁଠି ବନ୍ୟା ପାଣି ଛାଡ଼ିଲାଣି ତ ପୁଣି କେଉଁଠି ପାଣିରେ ଫସି ରହିଛନ୍ତି ଗ୍ରାମବାସୀ । ୨୦ ଜିଲ୍ଲାରେ ତାଣ୍ଡବ ଲୀଳା ରଚିଛି ବନ୍ୟା । ୧୪ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଏଭଳି ସ୍ଥିତିରେ ଆଜି  ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିଦର୍ଶନ ପରେ ବନ୍ୟା ନେଇ ବିଭାଗିୟ ବରିଷ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆରମ୍ଭରୁ ଏପର୍ଯ୍ୟନ୍ତ ବନ୍ୟା ଉପରେ ସମୀକ୍ଷା କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରତି ଜିଲ୍ଲା ପ୍ରଶାସନକୁ ମଧ୍ୟ ବନ୍ୟାର କିପରି ମୁକାବିଲା କରାଯିବ ସେନେଇ ସଜାଗ ରହିବା ପାଇଁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ବିଶେଷ ଭାବରେ ବନ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡ଼ିକୁ ଆକାଶ ମାର୍ଗରୁ ଦେଖିଛନ୍ତି । ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ବାଲେଶ୍ୱର ଜିଲ୍ଲାର କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ଉପକୂଳ ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିବା ପୂର୍ବରୁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ତଥା ମାଲକାନାଗିରି, ନୂଆପଡ଼ା, କୋରାପୁଟରେ ସୃଷ୍ଟି ହୋଇଥିଲା ବନ୍ୟା ।

ତେବେ ମୁଖ୍ୟମନ୍ତ୍ରୀ ସାମଗ୍ରୀକ ଭାବରେ ଏହି ସବୁ ସ୍ଥିତି କିଭଳି ଭାବରେ ମୁକାବିଲା କରାଯାଇଛି ବର୍ତ୍ତମାନର ସ୍ଥିତି କଣ ରହିଛି ଏବଂ ଆଗକୁ କେଉଁଭଳି ଭାବରେ ଲୋକଙ୍କୁ ରିଲିଫ ଦିଆଯିବ ସେନେଇ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ବନ୍ୟା ସମୟରେ ଲୋକଙ୍କୁ ଜଳବାହିତ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ  । ଏଥି ପ୍ରତି ଧ୍ୟାନ ଦେବା ଏବଂ ବନ୍ୟାରେ ଏବେବି ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ବରିଷ୍ଠ ଅଧିକାରି ମାନଙ୍କୁ ଧ୍ୟାନ ଦେବା ପାଇଁ କହିଛନ୍ତି ।

ସେପଟେ ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, NDRF, ଅଗ୍ନିଶମ, SRC ଓ ସ୍ଥାନୀୟ ନାଉରୀଆମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ ସେବା ଯୋଗାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଛନ୍ତି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ, ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଚାଲିଛନ୍ତି । ଜଳସଂପଦ ବିଭାଗର ତତ୍ପରତା ଯୋଗୁଁ ଅନେକ ବନ୍ଧକୁ ରକ୍ଷା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଲୋକଙ୍କ କଷ୍ଟ ଲାଘବ ସହ କ୍ଷତି ହ୍ରାସ କରିବା ଏବଂ ରାସ୍ତା, ଯୋଗାଯୋଗ, ବିଦ୍ୟୁତ ସରବରାହ ପୁନଃ ପ୍ରତିଷ୍ଠା ଏବଂ ବନ୍ଧବାଡର ମରାମତି କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ବନ୍ୟାରେ  ଲୋକଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜରୁରୀ ସହାୟତା ଘୋଷଣା କରିଛନ୍ତି । ସହାୟତା ଭୁଡ଼ିକ ହେଉଛି

(୧) ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ସେମାନେ ଥିବା ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା ଖାଦ୍ୟ/ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ।

(୨) ଗୁରୁତର ଭାବରେ କ୍ଷତିଗ୍ରସ୍ତ/ଜଳମଗ୍ନ ଗାଁର ପରିବାରବର୍ଗରୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ ।

(୩) ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ ।

(୪) SDRF ନିୟମ ଅନୁଯୋୟୀ ଘରଭଙ୍ଗା ସହାୟତା ଦିଆଯିବ । ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ ।

(୫) SDRF ନିୟମ ଅନୁଯାୟୀ କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ।

(୬) SDRF ନିୟମ ଅନୁଯାୟୀ ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବ।

(୭) କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳବ ।

(୮) କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ ।

Leave a Reply