spot_img

Latest Posts

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ ଅନେକ କ୍ଷେତ୍ରରେ ଓଡ଼ିଶାର ବିକାଶ ହେଉଛି

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ମହାନ ସଂଗ୍ରାମୀ, ଶହୀଦ ବୀର ଯବାନ ଓ ଶହୀଦ କୋଭିଡ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ବିବିଧତା ହିଁ ଆମ ସଂସ୍କୃତି ଓ ସମାଜକୁ ସମୃଦ୍ଧ କରିଛି । ଏହି ବିଭିଧତାର ସୁରକ୍ଷା ସହ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ଆମେ କାମ କରିବା ଦରକାର, ଏହା ହିଁ ଆମ ଗଣତନ୍ତ୍ରକୁ ଅଧିକ ସମୃଦ୍ଧ କରିବ ବୋଲି ସାଧାରଣତନ୍ତ୍ର ଦିବସରେ ନିଜ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ସେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ସହିଦ୍ ହୋଇଥିବା କୋଭିଡ ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ସେ ଆହୁରି କହିଛନ୍ତି, ଓଡିଶା ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଜି ଆଖିଦୃଶିଆ ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି । ଚାଷୀର ରୋଜଗାର ବଢିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ୱତନ୍ତ୍ର । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି । ଜନଜାତି ବର୍ଗର ବିକାଶ ଓ କଲ୍ୟାଣ ପାଇଁ ଆମର କାର୍ଯ୍ୟକ୍ରମ ସେମାନଙ୍କୁ ସଫଳ ଭାବରେ ବିକାଶର ମୁଖ୍ୟଧାରାରେ ଯୋଡି ପାରିଛି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ବିକାଶର ସୂର୍ଯ୍ୟ ଲୋକଙ୍କ ମନରେ ନୂଆ ଆଶା ସଂଚାର କରିଛି ।

Latest Posts

Don't Miss