ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସିବ ବଡ଼ ପୁଞ୍ଜି

1 min read

ଭୁବନେଶ୍ୱର: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପୁଞ୍ଜି ବିନିଯୋଗ ପାଇଁ ପାଇଁ ଜାପାନ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ସହିତ ଏକ ୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ସାମିଲ ହୋଇଛନ୍ତି ।

ଏଥିସହ 5T ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ସାମିଲ ହୋଇଛନ୍ତି । ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପକୁ ନେଇ ଓଡିଶାର ଏକ ବ୍ୟବସାୟ ପ୍ରତିନିଧି ଜାପାନରେ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ । ଏଥିସହ ନିବେଶକଙ୍କ ସହ ବୈଠକ କରି ପୁଞ୍ଜି ନିବେଶ ନେଇ ଆଲୋଚନା କରିବେ ।

ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମେଳନରେ ଯୋଗଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ। ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ନବୀନ ଆଲୋଚନା କରିବେ ।

ଦୁବାଇରୁ ୨୧ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି । ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ ।