ହକି ଏନ୍ତୁଡିଶାଳରେ ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ, ବିର୍ସା ମୁଣ୍ଡାଙ୍କ ନାମରେ ଘୋଷଣା କଲେ ଷ୍ଟାଡିୟମ

1 min read

ଭୁବନେଶ୍ବର: ଆପଣ ମାନକେ ସବକେ ମୋର ଜୁହାର । ଆଜି ରାଉରକେଲା ଆସି ମୁଁ ବହୁତ ଖୁସି । ହକିର ଏନ୍ତୁଡ଼ିଶାଳରେ ମୁଁ ପହଁଚି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ବିକାଶର ମୂଳଦୁଆ ପକାଇଥିଲେ ବିଜୁ ବାବୁ, ତେଣୁ ଯେବେ ରାଉରକେଲା ଆସେ ବିଜୁ ବାବୁଙ୍କ କଥା ମନେ ପଡେ ବୋଲି ଅଭିବାଦନ ଆରମ୍ଭରୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଉରକେଲାରେ ନିର୍ମାଣ ହେବାକୁ ଯାଉଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ନାଁ ମହାନ ସ୍ବାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ସଭା ମଞ୍ଚରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁନ୍ଦରଗଡ ହେଉଛି ହକିର ଏନ୍ତୁଡ଼ିଶାଳ । ହକି ପାଇଁ ଦେଶରେ ଗର୍ବ ଓ ଗୌରବ ଆଣିଛନ୍ତି ସୁନ୍ଦରଗଡର ଖେଳାଳୀ । ସେହିପରି ରାଉରକେଲା ହେଉଛି ବିକାଶର ସହର । ୨୦୦୦ ମସିହା ପରଠାରୁ ରାଉରକେଲା ଦ୍ରୁତ ବିକାଶରେ ସାମିଲ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମା ମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଂକରାର ଜୟନ୍ତୀ ଏକ୍କା କିପରେ ଭୁବନେଶ୍ବରର ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ତାଙ୍କର ଉଦ୍‌ଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ମୁଣ୍ଡାରି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବୀ ଜଣାଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର ୨୮୦୦ କୋଟି ଥିବାବେଳେ, ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ପାନଚ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରର ନମୂନା ତଥା ବିକାଶର ନମୂନା ଭାବରେ ବର୍ଣ୍ଣନା କରିବା ସହିତ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Leave a Reply