ଲୋକାରଣ୍ୟ ପୁରୀ, କିଛି ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଉଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଛି । ଶ୍ରୀମନ୍ଦିର ପରିକର୍ମା ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ପୂର୍ଣ୍ଣାହୁତି ଓ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଆସିଲାଣି ।

ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ କରାଯାଇଛି ବିଶେଷ ବ୍ୟବସ୍ଥା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଉଛି । ମନ୍ତ୍ରଧ୍ବନିରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ମହାଯଜ୍ଞ । ନାମସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଛି ଶଙ୍ଖକ୍ଷେତ୍ର । ଚାରିଦ୍ବାରରେ ଗୁଞ୍ଜରିତ ହେଉଛି ବେଦଧ୍ବନି ।

ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ । ଆଜି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ । ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି ।