ବାଲେଶ୍ବରରେ ଖୋଲିବ ବିକାଶ ପେଡି, ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର: ବିକାଶରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଆଜି ବାଲେଶ୍ବର ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ଦିନ ୧୦ଟା ୫ରେ ନବୀନ ନିବାସରୁ ବାଲେଶ୍ବର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ୧୧ଟା ୧୫ରେ ବାଲେଶ୍ବର ପୋଲିସ ପରେଡ ଗ୍ରାଉଣ୍ଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ ।

12ଟି ବ୍ଲକ୍ ସମେତ ବାଲେଶ୍ବର, ସୋର, ଜଳେଶ୍ବର ମ୍ୟୁନିସିପାଲିଟି ଓ ରେମୁଣା, ନୀଳଗିରି ଏନ୍‌ଏସିର ମୋଟ 364 କୋଟି 61ଲକ୍ଷ ଟଙ୍କାର 57 ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । 1ହଜାର 42 କୋଟି 69 ଲକ୍ଷ ଟଙ୍କାର 104ଟି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ । ସେଗୁଡିକ ମଧ୍ୟରେ ରହିଛି ସୋମନାଥପୁର ରେଳ ବ୍ରିଜ୍‌, ହଳଦୀପଦା ଠାରୁ ଦୀଘା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ହରଗଙ୍ଗା ପୋଖରୀ ନବୀକରଣ, ସୂବର୍ଣ୍ଣରେଖା ନଦୀ ଉପରେ ପୋଲ, ଚାନ୍ଦିପୁର ପାଇଁ ସ୍ବତନ୍ତ୍ର ବିଦ୍ୟୁତ୍‌ ଗ୍ରିଡ଼ ଷ୍ଟେସନ୍‌ ଭଳି ଅନେକ ପ୍ରକଳ୍ପ । ମୁଖ୍ୟନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ବପୋଲିସ ଲାଇନ୍‌ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ ସହିତ 15 ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ସ୍ବତନ୍ତ୍ର ଟେଣ୍ଟ ପ୍ରସ୍ତୁତ କରାଯାଇଛି । ଟେକ୍‌ନିକାଲ ଫିଲଡ, ଫକୀର ମୋହନ କଲେଜ ପଡ଼ିଆ, ଆଇଟିଆଇ ପଡ଼ିଆ ଭଳି 5ଟି ପଡ଼ିଆରେ ଗାଡ଼ି ପାର୍କିଂ ପାଇଁ ସୁବିଧା ହୋଇଛି । ଏସ୍‌ପିଙ୍କ ନେତୃତ୍ବରେ 2ଜଣ ଅତିରିକ୍ତ ଏସ୍‌ପି, 6ଜଣ ଡ଼ିଏସ୍‌ପି, 11 ଜଣ ଇନ୍ସପେକ୍ଟରଙ୍କ ସହିତ ଫୋର୍ସ ମୁତୟନ ହେବେ ।