spot_img

Latest Posts

ଆଜି ସୁଆଣ୍ଡୋ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନୂଆରୂପ ପାଇଛି ଉତ୍କଳମଣୀଙ୍କ ଜନ୍ମମାଟି। ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ। ଆଜି ସୁଆଣ୍ଡୋ ଯାଇ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ବିମାନବନ୍ଦରରୁ ଦିନ ୧୦ଟା ୪୫ମିନିଟରେ ବାହାରି ୧୧ଟାରେ ସୁଆଣ୍ଡୋରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ।

ପ୍ରଥମେ ଶିବ ମନ୍ଦିରକୁ ଯାଇ ପୁଷ୍ପାଞ୍ଜଳି ପ୍ରଦାନ କରି ଷଠିଘର ବୁଲିବେ ମୁଖ୍ୟମନ୍ତ୍ରୀ। ପରେ ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ନବୀନ। ଜନ୍ମମାଟିର ନବକଳେବର କରାଯାଇଥିବା ବେଳେ ଗ୍ରାମରେ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ସବୁ ସ୍ଥାନର ବିକାଶ କରାଯାଇଛି। ୨୫ କୋଟି ଟଙ୍କା ବ୍ୟୟରେ ଗାଁର ବିକାଶ କରାଯାଇଥିବା ବେଳେ ପ୍ରକଳ୍ପ ଭିତରେ ରହିଛି ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣୀଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଓ ଷଠିଘର ନିର୍ମାଣ।

ଘରେ ଥିବା ଢିଙ୍କି, ଲଣ୍ଠନ, ଲୋଟା, ଖଟ ଉତ୍କଳମଣୀଙ୍କ ସ୍ମୃତିକୁ ତାଜା କରୁଛି। ଘରର ସବୁ ବସ୍ତୁକୁ ଅତି ସୁନ୍ଦର ଭାବେ ସଜାଇ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଉତ୍କଳମଣୀ ଗୋପବନ୍ଧୁଙ୍କ ଷଠି ଘର, ଗ୍ରାମ୍ୟ ଶିବ ମନ୍ଦିର, ଗୋପବନ୍ଧୁଙ୍କ ସଂଗ୍ରହାଳୟ, ଶିଶୁ ଉଦ୍ୟାନ ସହିତ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତାର ବ୍ରୋଞ୍ଚ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ। ପରେ ସଭାସ୍ଥଳକୁ ଯାଇ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

Latest Posts

Don't Miss