ରସାବଳିକୁ GI ଟ୍ୟାଗ୍, କେନ୍ଦ୍ରାପଡ଼ାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଓଡ଼ିଶାବାସୀ, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତି, ଓଡ଼ିଶା ପାଇଁ ଏହା ଗୌରବର ବିଷୟ । ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି ।

https://x.com/Naveen_Odisha/status/1709229544702616001?s=20

ସୂଚନା ଥାଉକି, କେନ୍ଦ୍ରାପଡା ରସାବଳିକୁ ମିଳିଲା GI ଟ୍ୟାଗ । ୨୦୨୧ରେ GI ଟ୍ୟାଗିଂ ପାଇଁ ଆବେଦନ ହୋଇଥିବାବେଳେ ଏହାକୁ ମାନ୍ୟତା ମିଳିଛି । ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ପ୍ରିୟ ପ୍ରସାଦ ରସାବଳି । ଛେନା ଓ ପତାଳା କ୍ଷୀରରେ ରସାବଳୀ ପ୍ରସ୍ତୁତ ହୁଏ । ଏହାକୁ GI ଟ୍ୟାଗ ପାଇଁ ରସାବଳି ମିଷ୍ଟାନ ନିର୍ମାତା ସଂଘ ତରଫରୁ ଆବେଦନ ହୋଇଥିଲା । ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଅନ୍ୟତମ ହେଉଛି ରସାବଳି । ରସାବଳି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିବା ଗବେଷକ ମତ ଦିଅନ୍ତି  ।

ଗବେଷକଙ୍କ ମତ ଅନୁଯାୟୀ ରସାବଳି ଆଜି କିମ୍ବା କାଲିର ନୁହେଁ ଏହା ଦୀର୍ଘ ୭ଶହ ବର୍ଷର ଇତିହାସ ସହିତ ଜଡ଼ିତ । ୧୨୨୦ ଖ୍ରୀଷ୍ଟାବ୍ଦରେ କେନ୍ଦ୍ରାପଡା ସହରର ମଧ୍ୟସ୍ଥଳୀରେ ପ୍ରଭୁ ବଳଦେବଜୀଉ ବିଜେ କରିଥିଲେ । ସେହି ସମୟରୁ ତାଙ୍କ ନିକଟରେ ରସାବଳି ଭୋଗ ହେଉଛି । ବିଶ୍ବାସ ରହିଛି ଯେ ତୁଳସୀକ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀ ଜଗନ୍ନାଥ ପୂଜା ପାଇବା ଦିନଠାରୁ ହିଁ ତିନି ଦିଅଁଙ୍କ ପାଖରେ ରସାବଳି ଲାଗି କରାଯାଉଛି । ଏଥିରୁ ସ୍ପଷ୍ଟ ଯେ ରସାବଳିର ଇତିହାସ ଶହଶହ ବର୍ଷ ପୁରୁଣା । ରସାବଳିକୁ ଜିଆଇ ଟ୍ୟାଗ ମିଳିବା ପରେ ସାରା କେନ୍ଦ୍ରାପଡ଼ାରେ ଖୁସି ଖେଳିଯାଇଛି ।