ବଡଗଡରୁ ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ବର: ଗାଁ ଗାଁରେ ପହଞ୍ଚିବ ବିକାଶର ବାର୍ତ୍ତା । ଜନତାଙ୍କ ପାଖକୁ ଯିବେ ନେତା, ମନ୍ତ୍ରୀ ଓ ସାଂସଦ । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଉଛି ବିଜେଡିର ଜନସଂପର୍କ ପଦଯାତ୍ରା । ଜୟପ୍ରକାଶ ଜୟନ୍ତୀ ଯାଏଁ ବିଜେଡି ରାଜ୍ୟବ୍ୟାପୀ ପଦଯାତ୍ରା ଚାଲିବ ।

ଭୁବନେଶ୍ବରରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମର ୫୭ ନମ୍ବର ଓ୍ବାର୍ଡରୁ ବଡ଼ଗଡ଼ରୁ ପଦଯାତ୍ରାର ଶୁଭାରମ୍ଭ ହୋଇଛି । ଜନସମ୍ପର୍କ ପଦଯାତ୍ରା ବେଳେ ବିଜୁ ଜନତା ଦଳର ସାଂସଦ, ବିଧାୟକ, କର୍ମକର୍ତ୍ତା ରାଜ୍ୟର ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀ, ୩୧୪ ବ୍ଲକ, ସମସ୍ତ ସହରାଞ୍ଚଳରେ ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ଦୁଃଖସୁଖରେ ସାମିଲ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ । ବିକାଶ ଏକ ନିରନ୍ତର ପ୍ରକ୍ରିୟା, ବିଜେଡ଼ି କ୍ଷମତାରେ ରହିବା ଦିନଠାରୁ ରାଜ୍ୟର ସାମଗ୍ରୀକ ବିକାଶ ଉପରେ ସବୁବେଳେ ଗୁରୁତ୍ବ ଦେଇଛି । ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ । ଏହାସହ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ପଦଯାତ୍ରା ଅବସରରେ ମହାନ ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ସଂକଳ୍ପ ନିଆଯିବ । ଜନସମ୍ପର୍କ ପଦଯାତ୍ରାକୁ ବିଜେଡ଼ି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ସଫଳତା ସହ ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳା ବାବଦରେ ବି ଲୋକଙ୍କୁ ସଚେତନ କରାଯିବ ।