ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ

1 min read

ନୂଆଦିଲ୍ଲୀ: ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତରତ୍ନ ପାଇଁ ନବୀନ ଯୋଗ୍ୟ ବୋଲି କାର୍ଯ୍ୟକ୍ରମରେ ଉଠିଲା ପ୍ରସଙ୍ଗ  । ଜନସେବାରେ ନିୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ କରାଯାଇଛି ସମ୍ମାନିତ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ନବୀନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରିଛନ୍ତି । ୧୯୯୭ରେ ରାଜନୀତିରେ ପାଦ ଦେଇଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବା ସହ ସୃଷ୍ଟି କରିଛନ୍ତି ବିକାଶର ନୂଆ ଅଧ୍ୟାୟ ।

ଅଭାବ ଅନଟନ, ଦାରିଦ୍ର୍ୟ, ଅନାହାର, ଅନଗ୍ରସର ରାଜ୍ୟ ଭାବେ ଓଡ଼ିଶାର ଯେଉଁ ବଦନାମ୍ ଥିଲା, ତାହାକୁ ବହୁ ମାତ୍ରାରେ ହଟାଇବାରେ ସକ୍ଷମ ହୋଇଛନ୍ତି। ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢ଼େ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ତାଙ୍କ ମଡେଲ୍କୁ ସାରା ବିଶ୍ବ ପ୍ରଶଂସା କରୁଛି । ପିଡିଏସ୍ ବ୍ୟବସ୍ଥାରେ ଓଡ଼ିଶାକୁ ତୃତୀୟ ବୃହତ୍ତମ ଯୋଗଦାନକାରୀ ଭାବେ ପ୍ରସ୍ତୁତ କରିବା, ରାଜ୍ୟବାସୀଙ୍କ ପାଇଁ ଗୃହ ସୁରକ୍ଷା ନିଶ୍ଚିତ କରିବା, ମିସନ୍ ଶକ୍ତି ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିବା, କାଳିଆ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟକୁ ଦ୍ବିଗୁଣିତ କରିବା, ଓଡ଼ିଶାକୁ ୫-ଟି ଏବଂ ମୋ ସରକାର ମାଧ୍ୟମରେ ରୂପାନ୍ତରଣ କରିବା, ଓଡ଼ିଶାକୁ ବିଶ୍ବ କ୍ରୀଡ଼ା ହବ୍‌ରେ ପରିଣତ କରିବା, ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା, ଦକ୍ଷତା ବିକାଶ ମାଧ୍ୟମରେ ଲକ୍ଷ ଲକ୍ଷ ଓଡ଼ିଆ ଯୁବକଙ୍କୁ ସଶକ୍ତ କରିବା, ଆଦିବାସୀଙ୍କ ବିକାଶ କରିବା, ଦେଶର ଏକ ନମ୍ବର ରାଜ୍ୟ ଭାବେ ଜଙ୍ଗଲ ଅଧିକାର ଆଇନ୍ ଅଧୀନରେ ଆଦିବାସୀଙ୍କୁ ଜମି ଅଧିକାର ପ୍ରଦାନ କରିବା, ୫ଲକ୍ଷରୁ ଅଧିକ ଆଦିବାସୀ ବାଳିକାଙ୍କୁ ସଶକ୍ତ କରିବା ପାଇଁ ଆଦିବାସୀ ହଷ୍ଟେଲର ବ୍ୟବସ୍ଥା କରିବା, ବିଜୁ ପକ୍କା ଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା, ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳର ବାସହରାଙ୍କୁ ଜାଗା ମିସନ୍ ଜରିଆରେ ଜମି ଅଧିକାର ପ୍ରଦାନ କରିବା ଭଳି ଯୁଗାନ୍ତକାରୀ ପଦକ୍ଷେପ ନବୀନ ନେଇଛନ୍ତି ।

ରାଜ୍ୟରେ ଚାଷୀଙ୍କ ଆୟ ବଢ଼ିଛି, ବ୍ୟାପକ ଶିଳ୍ପାୟନ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସମସ୍ତଙ୍କୁ ଚିକିତ୍ସା ଯୋଗାଇଛନ୍ତି। ୫-ଟି ଓ ମୋ ସରକାରରେ ବିଭିନ୍ନ ସରକାରୀ ସେବାକୁ ଲୋକଙ୍କ ହାତ ପାହନ୍ତାରେ ପହଞ୍ଚିଛି । ସରକାରୀ ସ୍କୁଲରେ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରିବା ସହ ସ୍ମାର୍ଟ କ୍ଲାସ୍ରୁମ୍ରେ ପରିଣତ କରିପାରିଛନ୍ତି । ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଛାଟ୍ ବାଜିଛି । କେହି ଯେପରି ଭୋକିଲା ନରହିବେ ସେଥିପାଇଁ ଟଙ୍କିକିଆ ଚାଉଳ ଯୋଗାଇବା ଠାରୁ ଆରମ୍ଭ କରି ସହରାଞ୍ଚଳରେ ୫ଟଙ୍କାରେ ଆହାର ମିଲ୍ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ବିପ୍ଳବ ଆଣିଛନ୍ତି । ଯାହାର ଉଦାହରଣ ହେଲା ୭୦ଲକ୍ଷରୁ ଅଧିକ ମହିଳାଙ୍କୁ ମିସନ୍ ଶକ୍ତି ଜରିଆରେ ରୋଜଗାରକ୍ଷମ କରିବା । କୋଭିଡ ମୁକାବିଲାରେ ନବୀନଙ୍କ ପଦକ୍ଷେପ ଓ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଣରେ ସହଯୋଗର ହାତ ବଢ଼ାଇବା ଥିଲା ଉଲ୍ଲେଖନୀୟ ପଦକ୍ଷେପ । ସେହିପରି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ କରି ତାରାତାରିଣୀ, ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ସବୁଠି ରୂପାନ୍ତରଣ କାର୍ଯ୍ୟକ୍ରମ କରାଯାଇଛି । ସ୍ବତନ୍ତ୍ର କାଉନସିଲ୍ ଜରିଆରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶର ନୂଆ ଧାରା ସୃଷ୍ଟି ହୋଇଛି । ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ରାଜ୍ୟ ହୋଇପାରିଛି ।