ଫଟୋ କହୁଛି କଥା, ମୁଖ୍ୟମନ୍ତ୍ରୀଙ୍କୁ ମାଆ ଭଳି ଆଉଁସି ଦେଲେ ପ୍ରମିଳା ବିଷୋଇ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଜୁ ଜନତା ଦଳର ସମସ୍ତ ସାଂସଦଙ୍କୁ ସଂସଦର ପାର୍ଲାମେଣ୍ଟ ହଲରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ  । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଥିଲା, କିନ୍ତୁ ଆଲୋଚନା ପରେ ଅଭିଭୁତ କରିଥିଲା ଏକ ଦୃଶ୍ୟ  । ଆସିକା ସାଂସଦ ପ୍ରମିଳା ବିଷୋଇ ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ଆଉଁସି ଦେଇଥିଲେ  ।  ଉପସ୍ଥିତ ସମସ୍ତ ସାଂସଦ ମଧ୍ୟ ଏହି ଦୃଶ୍ୟରେ ସ୍ତମ୍ଭୀଭୁତ ହୋଇଥିଲେ  । ଜଣେ ମାଆ କିଭଳି ପୁଅକୁ ସ୍ନେହ କରେ, ଶ୍ରଦ୍ଧାରେ ଆଉଁସି ଦିଏ  । ଠିକ ସେହିଭଳି ଥିଲା ଏହି ଦୃଶ୍ୟ  । ଏହି  ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ କରିବାରେ ଲାଗିଛି ।

ସୋସିଆଲ ମଡିଆରେ ପ୍ରମିଳା ବିଶୋୟୀଙ୍କ ଏହି ସ୍ନେହପୂର୍ଣ୍ଣ ଫଟୋକୁ ୟୁଜର୍ସ ବେଶ ପ୍ରଂଶସା କରିଛନ୍ତି  । ଏତେ ଆତ୍ମୀୟତା, ଏତେ ଆସ୍ଥା ଆଉ ଏତେ ସ୍ନେହ ! ଜଣେ ନେତାଙ୍କ ପାଇଁ ତାଙ୍କ ଅନୁଗାମୀଙ୍କ ଏଭଳି ମମତା ଏକ ବିରଳ ଘଟଣା ବୋଲି କୁହାଯାଇପାରେ । ନାରୀ ସଶକ୍ତୀକରଣକୁ ରାଜନୈତିକ କ୍ୟାରିୟର ଆରମ୍ଭରୁ ଗୁରୁତ୍ବ ଦେଇଆସୁଥିବା ନବୀନଙ୍କ ପାଇଁ ହିଁ ଏଭଳି ମମତା ମିଳିପାରେ । ଆସିକା ସାଂସଦ ପ୍ରମିଳା ବିଷୋଇଙ୍କୁ ୨୦୧୯ ମସିହା ନିର୍ବାଚନରେ ପ୍ରାର୍ଥୀ କରି ନବୀନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ପ୍ରମିଳା ଜଣେ ସାଧାରଣ ମହିଳା । ଶିକ୍ଷାଗତ ଯୋଗ୍ୟତା ମଧ୍ୟ ସେଭଳି ନଥଲା । ତଥାପି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସେ ବେଶ୍‌ ଆଦୃତ ଥିଲେ । ସେଥିପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପ୍ରମିଳାଙ୍କୁ ଟିକେଟ ଦେଇଥିଲେ ମୁଖ୍ୟମନ୍ତ୍ରୀ  । କେବଳ ଏତିକି ନୁହେଁ ମାତୃ ଶକ୍ତିର ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ମହିଳାଙ୍କୁ ପ୍ରତି ନିର୍ବାଚନରେ ସ୍ଥାନ ଦେଇଛନ୍ତି  ।  ଓଡିଶାର ମାଆ ମାନଙ୍କ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଅନିବିଳ ଶ୍ରଦ୍ଧା ଓ ଭଲ ପାଇବା ପଞ୍ଚାୟତ ଓ ପୌର ନିର୍ବାଚନରେ ସ୍ପଷ୍ଟ ଭାବେ ବାରି ହୋଇଥିଲା  ।