କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା, ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସମଗ୍ର ବିଶ୍ୱର ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି କରୋନା । ଦେଶରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି । ସାରା ବିଶ୍ୱ ଭାରତର ସଂକ୍ରମଣ ଦ୍ୱିତୀୟ ସ୍ଥାନରେ ରହିଛି । କରୋନା ସମଗ୍ର ଅର୍ଥନୀତି ଉପରେ ପ୍ରଭାବ ପକାଇଛି । ଯାହା ଦ୍ୱାରା ସକଳ ଘରୋଇ ଉତ୍ପାଦ(ଜିଡିପି) ବିଯୁକ୍ତାତ୍ମକ ଭାବେ ୨୩ରେ ରହିଛି । ଲକ୍ଷ ଲକ୍ଷ ସଂଖ୍ୟାରେ ରୋଜଗାର ସୁଯୋଗ ହ୍ରାସ ପାଇବାରେ ଲାଗିଛି । ଏ ସବୁ ସତ୍ତ୍ୱେ ଓଡ଼ିଶାରେ କରୋନା ମୁକାବିଲା ଉଲ୍ଲେଖନୀୟ ରହିଛି । ଆଗାମୀ ଦିନରେ ଆମକୁ ଆହୁରି ସତର୍କ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କହିଛନ୍ତି ।

ଏହାର ସମସ୍ତ ଶ୍ରେୟ ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ଯାଏ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି । ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ନବୀନ ଏହା କହିଛନ୍ତି । ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ହିଁ କରୋନା ଜନିତ ମୃତ୍ୟୁ ହାର କମାଇବାରେ ସହାୟକ ହୋଇଛି । ସହର ହେଉ ବା ଗ୍ରାମରେ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଇତ୍ୟାଦି ଗଠନ କରାଯାଇଛି । କୋଭିଡ ଯୋଗୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯେପରି ବାଧାପ୍ରାର୍ତ ନ ହୁଏ, ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯାଇଥିଲା । ଏହି କଠିନ ସମୟରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଏବଂ ମୋ ପରିବାର ପକ୍ଷରୁ ବିଭିନ୍ନ ଜନସାଧାରଣଙ୍କୁ ପ୍ରତ୍ୟକ୍ଷ ଭାବେ ସହଯୋଗ କରାଯାଇଥିବା ବିଜେଡି ସଭାପତି କହିଛନ୍ତି ।ସେହିପରି ଏହି ସମସ୍ତ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ଏବଂ କୋଭିଡ କଟକଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଆଗାମୀ ଗାନ୍ଧୀ ଜୟନ୍ତୀ ତଥା ଅକ୍ଟୋବର ୨ରୁ ମାସେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Leave a Reply

ନଜର ପକାନ୍ତୁ