ମୃତ୍ୟୁ ତାଣ୍ଡବର ଦିନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ, ଶାନ୍ତି ପାଇଁ ପ୍ରାର୍ଥନା

1 min read

ଭୁବନେଶ୍ବର: ଆଜି ହିରୋସିମା ଦିବସ । ଅଗଷ୍ଟ ୬, ୧୯୪୫ରେ ସାରା ବିଶ୍ବକୁ ଚମକାଇ ଦେଇଥିଲା ହିରୋସିମା ଆଟାକ୍ । ରକ୍ତପିପାସୁ ଆମେରିକାର ଆଣବିକ ବୋମାରେ ତରଳି ଗଲା ଜାପାନର ମେଗା ସିଟି । ଆଖି ପିଛୁଳାକେ ପାଉଁଶ ହୋଇଗଲେ ପ୍ରାୟ ଦେଢ଼ ଲକ୍ଷ ଲୋକ । ଆର୍ତ୍ତଚିତ୍କାର ଭିତରେ ଥରି ଉଠିଥିଲା ଜାପାନ ।

ଲିଟିଲ ବଏ ନାମକ ବୋମା ସମଗ୍ର ଜାପାନକୁ ଥରାଇ ଦେଇଥିଲା  । ଓଜନ ଥିଲା ୪ ହଜାର ୪୦୦ କେଜି । ଲମ୍ବା ଥିଲା ୧୦ ଫୁଟ । ଏତିକିରେ ଶାନ୍ତ ହୋଇ ନଥିଲା ଆମେରିକା । ଏହାର ୩ ଦିନ ପରେ ଜାପାନର ଅନ୍ୟତମ ସହର ନାଗାସାକିରେ ପକାଇଥିଲା ଆଉ ଏକ ବୋମା- ଫ୍ୟାଟ ମ୍ୟାନ । ଭୟଙ୍କର ଆକ୍ରମଣରେ ପୁଣି ଚାଲିଥିଲା ମୃତ୍ୟୁର ତାଣ୍ଡବ । ଆଖିପିଛୁଳାକେ ପାଉଁଶ ହୋଇଯାଇଥିଲେ ପ୍ରାୟ ୮୦ ହଜାର ଲୋକ । ସାରା ବିଶ୍ବବାସୀ ଏବେ ବି ଭୁଲିପାରୁନାହାନ୍ତି ସେହି ରକ୍ତକ୍ଷୟୀ ଦୁଇ ଦିବସର ଭୟଙ୍କର କାହାଣୀ ।

ଏହି ପରମାଣୁ ବିସ୍ଫୋରଣରେ ଧ୍ବସ୍ତବିଧ୍ବସ୍ତ ହୋଇଥିଲା ୨ ସହର । ପରମାଣୁ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ଲକ୍ଷ ଲକ୍ଷ ଲୋକ । ସେ ଦୁଃଖଦ ସମୟକୁ ମନେ ପକାଇବା ସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଏହି ଦିନର ଉଦ୍ଦେଶ୍ୟ । ଏହାପର ଠୁ ବିଶ୍ବରେ ପରମାଣୁ ବୋମା ବ୍ୟବହାର କରାଯାଇନି । ଆଜିର ଦିନକୁ ମନେ ପକାଇ ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।