ଅହିଂସା ରଥକୁ ସ୍ବାଗତ, ଗାନ୍ଧୀଙ୍କୁ ଜାଣିବାକୁ ନବୀନ ଦେଲେ ସୁଯୋଗ

ଭୁବନେଶ୍ବର: ଅହିଂସା ରଥକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବୁଲି ବୁଲି ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥ ଆଜି ଲୋକସେବା ଭବନରେ ପହଞ୍ଚିଛି  । ରାଜ୍ୟରେ ୪୯ ଦିନ ଯାତ୍ରା କରି ଅହିଂସାର ବାର୍ତ୍ତା ପହଞ୍ଚାଇଛି ଏହି ରଥ ।

ଓଡିଶାବାସୀ ଯେଭଳି ଭାବରେ ଅହିଂସା ରଥକୁ ବିପୁଳ ସ୍ବାଗତ ସମ୍ମାନ ଜଣାଇଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ସହିତ ‘ଓଡିଶାରେ ଗାନ୍ଧୀଜୀ’ ପୁସ୍ତକ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି  ।

ଏହି ଅବସରରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ନୀଳମଣି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ପ୍ରତୀକ ଭାବେ ଏକ ଅରଟ ଉପହାର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାମଲଙ୍କୁ ଏକ ଶାଲ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଲୋକସେବା ଭବନରେ ଉପସ୍ଥିତ ରହିଥିଲେ ।