ନନଷ୍ଟପ୍ ନବୀନ

1 min read

ସେଦିନ ଥିଲା ଏପ୍ରିଲ ୧୭, ୧୯୯୭ । ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ଚିତା ଜଳୁଥିବାବେଳେ ବିଜୁ ଅନୁଗତମାନେ କେବଳ ଭାଙ୍ଗି ପଡିନଥିଲେ, ବରଂ ବିଜୁବାବୁଙ୍କ ଚିତାକୁ ସାକ୍ଷୀ ରଖି ତାଙ୍କରି ନାଁରେ ଦଳ ଗଠନର ଶପଥ ନେଇଥିଲେ। ଓଡ଼ିଶାରେ ବିକାଶର ରାଜନୀତିକୁ ସକ୍ରିୟା କରିବାକୁ ସମସ୍ତେ ପଣ କରିଥିଲେ। କଂଗ୍ରେସ ଶାସନର ଅନ୍ତ ଘଟାଇ ଜନତା ଦଳକୁ ପୁଣିଥରେ ସଂଗଠିତ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ସମୟରେ ମଙ୍ଗ ଧରିବାକୁ ଯେଉଁ ନାଁଟି ସାମ୍ନାକୁ ଆସିଥିଲା ତାହା ସେତେବେଳ ପାଇଁ ସବୁଠାରୁ ବଡ଼ ଘୋଷଣା ଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ସାନ ପୁଅ ନବୀନ ପଟ୍ଟନାୟକ ରାଜନୀତିକୁ ଆସିବେ। ଏହାଠୁ ବଡ଼ି ଭଲ ଖବର ସେଦିନ ଓଡ଼ିଶାବାସୀଙ୍କ ପାଖରେ କିଛି ନଥିଲା ବୋଧହୁଏ। ଅର୍ଥାତ ପୁରୀ ସ୍ୱର୍ଗଦ୍ୱାରରେ ଯେଉଁ ସମୟରେ ବିଜୁବାବୁଙ୍କ ଆତ୍ମା ପରମାତ୍ମାରେ ଲୀନ ହେଲା, ଠିକ ସେହି ସମୟରେ ଓଡିଶା ରାଜନୀତିରେ ପୁଣି ଏକ ନୂଆ ଅଧ୍ୟାୟର ଆରମ୍ଭ ହେବାକୁ ଯାଉଥିଲା।

ରାଜି ହେଲେ ନବୀନ, ଆସିଲେ ଭୁବନେଶ୍ୱର। ଆସ୍କାରୁ ଲଢ଼ିଲେ ଉପ ନିର୍ବାଚନ, ବିଜୟୀ ହେଲେ। ୧୨ ଏପ୍ରିଲ୍‌ ୧୯୯୭ରୁ ବିଧିବଦ୍ଧଭାବେ ଆରମ୍ଭ ହେଲା ନବୀନ ପଟ୍ଟନାୟକଙ୍କ ରାଜନୀତିକ ଜୀବନ ଯାତ୍ରା। ଏହାପରେ ୧୯ ମାର୍ଚ୍ଚ ୧୯୯୮ରେ ସେ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ। ଦିଲ୍ଲୀରୁ ଭୁବନେଶ୍ୱର ନବୀନ ନିବାସ ଯାଏ ୯ ମାସର କସରତ ପରେ ୧୯୯୭ ଡିସେମ୍ବର ୨୬ରେ ଗଠିତ ହୋଇଥିଲା ବିଜୁ ଜନତା ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାନପୁଅ ନବୀନ ପଟ୍ଟନାୟକ ବାପାଙ୍କ ସ୍ୱପ୍ନକୁ ସାକାର କରିବାକୁ ଧରିଲେ ବିଜେଡିର ମଙ୍ଗ। ସେତେବେଳର ଜନତା ଦଳର ୪୬ ବିଧାୟକଙ୍କ ମଧ୍ୟରୁ ୨୭ ଜଣଙ୍କୁ ନେଇ ଗଠିତ ହୋଇଥିଲା ବିଜେଡି । ଜାତୀୟ ସ୍ତରରେ ଦଳକୁ ପ୍ରତିଷ୍ଠିତ କରିବାକୁ ଏକମାତ୍ର ଧର୍ମନିରପେକ୍ଷ ଦଳ ଭାବେ ଏନ୍‌ଡିଏ ସହ ୧୯୯୮ରେ ମେଣ୍ଟ କରି ପ୍ରଥମ ସାଧାରଣ ନିର୍ବାଚନକୁ ଓହ୍ଲାଇଥିଲା । ଏଥିରେ ବିଜେଡି ୯ଟି ଲୋକସଭା ଆସନ ଦଖଲ କରିଥିଲା ।

୧୯୯୯ରେ ପରବର୍ତ୍ତୀ ସାଧାରଣ ନିର୍ବାଚନରେ ଦଳର ଖାତାକୁ ଯାଇଥିଲା ୧୦ ଲୋକସଭା ଆସନ । ୧୯୯୮ରେ ସେତେବେଳର ଜନତା ଦଳର ଡାକ୍ତର ଦାମୋଦର ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଓ ନଳିନୀକାନ୍ତ ମହାନ୍ତିଙ୍କ ଭଳି ଆଉ ୧୯ ଜଣ ନେତା ବିଜେଡି ଆଡେ ମୁହାଁଇଲେ । ୨୦୦୦ରେ ରାଜ୍ୟରେ କଂଗ୍ରେସର ଏକଚ୍ଛତ୍ର ରାଜନୀତିକୁ ଲାଗିଥିଲା ସବୁଠାରୁ ବଡ ବ୍ରେକ୍‌ । ନବୀନଙ୍କ ନେତୃତ୍ୱରେ ବିଜେଡି-ବିଜେପି ମେଣ୍ଟ ସରକାର ଗଠନ କଲା । ବିଜେଡି ବିଜୟ ଅଭିଯାନକୁ ଏଯାଏ ପ୍ରତିହତ କରିବାକୁ ବିକଳ୍ପ ଶକ୍ତି ସୃଷ୍ଟି ହୋଇପାରିନାହିଁ। ଦିନକୁ ଦିନ ନବୀନ ଓ ବିଜେଡି ପ୍ରତି ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଓଡ଼ିଶାର ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ରାଜ୍ୟର ଅର୍ଥନୀତିକ ଓ ସାମାଜିକ ଅଭିବୃଦ୍ଧିରେ ଏକ ବଡ଼ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇପାରିଛନ୍ତି ମୁଖ୍ୟମନ୍ତ୍ରୀ ।ଏଯାବତ୍‌ ଦେଶର ଯେତେ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ସମସ୍ତଙ୍କୁ ପଛରେ ପକାଇ ୨୦୧୮ରେ ସେ ହାସଲ କରିଥିଲେ ଶ୍ରଷ୍ଠ ପ୍ରଶାସକ ସମ୍ମାନ। ଆଦର୍ଶ ମୁଖ୍ୟମନ୍ତ୍ରୀର ସମ୍ମାନ ମଧ୍ୟ ଯାଇଛି ତାଙ୍କ ପାଖକୁ।

ଆଜି ତାଙ୍କ ଜନ୍ମଦିନରେ ସବୁଆଡୁ ଛୁଟୁଛି ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ')}

Leave a Reply