ଜାତୀୟ ରାଜନୀତିକୁ ନବୀନଙ୍କ ବଡ଼ ସନ୍ଦେଶ, ଲୋକଙ୍କ ସେବା ଶାସନର ମୂଳମନ୍ତ୍ର

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିକୁ ବଡ଼ ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ ବର୍ଷ ଧରି ଜନସେବା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସେବାକୁ ଶାସନର ମୂଳମନ୍ତ୍ର କରିଛନ୍ତି ।

ପଦ ପଦବୀ ନୁହେଁ, ବରଂ ଜନସେବାକୁ ମନ୍ତ୍ରୀମାନେ ଅଧିକ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ୫ମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ମନ୍ତ୍ରୀମାନେ କାମ କରିବା ସହ ପ୍ରତିମାସରେ ବିଭାଗର କ’ଣ କାମ କରୁଛନ୍ତି ତାହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ମନ୍ତ୍ରୀମାନେ ମାସିକିଆ ରିପୋର୍ଟ ମଧ୍ୟ ଦେଇ ଆସୁଥିଲେ । ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ବିଭାଗର ସମୀକ୍ଷା କରି ନିଜ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଲାଗି ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ସେହିପରି ବିଭାଗୀୟ ସଚିବଙ୍କୁ ମଧ୍ୟ ବଦଳି କରାଯାଇଛି । ପଦବୀରେ ରହି ନିଜର ଦାୟିତ୍ବ ସଠିକ ଭାବେ ତୁଲାଇ ପାରି ନଥିବାରୁ ମୁଖ୍ୟମନ୍ତ୍ରୀ ଉଭୟ ମନ୍ତ୍ରୀ ଓ ସଚିବଙ୍କୁ ବାଦ୍ ଦେଇ ବଡ଼ ସନ୍ଦେଶ ଦେଇଛନ୍ତି । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି । ସେହିପରି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ପାଇବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି – ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ ତାହାକୁ ସେ ସଠିକ୍ ଭାବେ ତୁଲାଇବାକୁ ଚେଷ୍ଟା କରିବେ ।