ଆର୍ଥିକ ପରିଚାଳନାରୁ ଶିଳ୍ପ ଅଭିବୃଦ୍ଧି ଯାଏ ଓଡିଶା ଦେଶରେ ଏକ ନମ୍ବର: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଆର୍ଥିକ ପରିଚାଳନା ଠାରୁ ବଜେଟ ମ୍ୟାନେଜମେଣ୍ଟ ଏପରିକି ରାଜ୍ୟର ଶିଳ୍ପର ଅଭିବୃଦ୍ଧିରେ ଓଡିଶା ସାରା ଦେଶରେ ଏକ ନମ୍ବର । ଆର୍ଥିକ ସୁପରିଚାଳନା ଯୋଗୁଁ ଜାତୀୟ ହାର ଠାରୁ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ଅଧିକ । ଗତ ୧୦ ବର୍ଷ ଧରି ରାଜ୍ୟର ଅଭିବୃଦ୍ଧି ହାର ହାରାହାରି ୬.୫ ପ୍ରତିଶତ ରହିଥିଲା । ସେହି ସମୟରେ ଜାତୀୟ ଅଭିବୃଦ୍ଧି ହାର ଥିଲା ୫.୩ ପ୍ରତିଶତ । ୨୦୨୦-୨୧ରେ ମହାମାରି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେବେ ଆଗୁଆ ପଦକ୍ଷେପ ଯୋଗୁଁ ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦୧ ପ୍ରତିଶତରେ ପହଁଚିଛି ।

ଏହି ସମୟରେ ଜାତୀୟ ଅଭିବୃଦ୍ଧି ଥିଲା ୮.୮ ପ୍ରତିଶତ । ଆର୍ଥିକ ପରିଚାଳନା ଆଇନକୁ ଶତ ପ୍ରତିଶତ ଲାଗୁ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ । ରାଜ୍ୟପାଳଙ୍କ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବଜେଟ ପ୍ରସ୍ତୁତି ଓ ପରିଚଳନାରେ ମଧ୍ୟ ଓଡିଶା ସରକାର ସମ୍ପୁର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି । ସରକାରୀ ପୋର୍ଟାଲରେ ସର୍ବସାଧାରଣଙ୍କ ପାଇଁ ଏହା ଉପଲବ୍ଧ ହେଉଛି । ସେହିଭଳି କୋଭିଡ ପରିଚଳନାରେ ମଧ୍ୟ ସାଧାରଣ ଲୋକଙ୍କ ସହଯୋଗରେ ଓଡିଶା ସାରା ଦେଶ ପାଇଁ ଉଦାହାରଣ ସୃଷ୍ଟି କରିଛି ।

ଆଗୁଆ ସତର୍କତାମୂଳକ ପଦକ୍ଷେପ ଏବଂ ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ମୁକାବିଲାରେ ରାଜ୍ୟ ସରକାର ସଫଳତା ପାଇଛନ୍ତି । ସ୍ବାସ୍ଥ୍ୟ ସେବାରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ରାଜ୍ୟର ୯୬ ଲକ୍ଷ ୫୦ ହଜାର ପରିବାରର ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି । ଷ୍ଟାଟ ଅପ ର୍ୟାଙ୍କିଙ୍ଗରେ ଓଡିଶା କ୍ରମାଗତ ଭାବେ ୨୦୧୮ ଓ ୨୦୧୯ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଥିବା ବେଳେ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରତ୍ସାହନ ଯୋଗାଇଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ମହାମାରି ସତ୍ତ୍ବେ ଓଡିଶା ପୁଂଜିନିବେଶକାରୀଙ୍କ ପ୍ରମୁଖ ଆକର୍ଷଣ । ମହାମାରି ସମୟରେ ରାଜ୍ୟରେ ୪.୪ ଲକ୍ଷ କୋଟି ଟଙ୍କା ପୁଂଜିନିବେଶ ସମ୍ଭବ ହୋଇଛି । ରାଜ୍ୟରେ ପର୍ଯ୍ୟଟନ ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ରାଜ୍ୟ ସରକାର ଏହି କ୍ଷେତ୍ରରେ ଅଧିକ ପୁଂଜିନିବେଶ ପାଇଁ ପ୍ରସ୍ତୁତ କରିଛନ୍ତି ଏକ ମାଷ୍ଟର ପ୍ଲାନ । ସେହିପରି ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମୀଣ ଘରକୁ ପାଇପ ପାଣି ସଂଯୋଗ କରିବାକୁ ପ୍ରସ୍ତୁତ ହୋଇଛି ୫୦ ହଜାର ୨୬୩ କୋଟି ଟଙ୍କାର ମେଗା ପ୍ରକଳ୍ପ । ରାଜ୍ୟର ପ୍ରତ୍ୟେକ ଚାଷ ଜମିକୁ ଜଳସେଚିତ କରିବାକୁ ଡିପ୍‌ ବୋରୱେଲ ଓ ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଛି । ଚାଷୀ ଓ ଚାଷର ବିକାଶ ପାଇଁ ଚାଷୀଙ୍କୁ ଜାତୀୟ ବଜାର ସହ ସଂଯୋଗ କରାଯାଉଛି ।

ଏଥିପାଇଁ ଆରମ୍ଭ ହୋଇଛି ଓଡିଶା ଆଗ୍ରୀ କନକ୍ଲେଭ । ଖାଦ୍ୟ ସୁରକ୍ଷା ମିଶନରେ ଓଡିଶା ଦେଶର ବୃହତ ରାଜ୍ୟମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଏଥିସହିତ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ମଧ୍ୟ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏପରିକି ଘର ମରାମତି ପାଇଁ ମଧ୍ୟ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯାଉଛି । ମହିଳା ସଶକ୍ତିକରଣରେ ମଧ୍ୟ ଓଡିଶା ସାରା ଦେଶ ପାଇଁ ଉଦହାରଣ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସମାଜିକ ସ୍ବାବଲମ୍ବି କରାଯାଇଛି ।

ଶିକ୍ଷାର ମାନବୃଦ୍ଧି ପାଇଁ ୫T କାର୍ଯ୍ୟକ୍ରମରେ ସ୍କୁଲଗୁଡିକର ରୂପାନ୍ତର କରାଯାଇଛି । ଏଥିସହିତ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । କ୍ରିଡାର ବିକାଶରେ ମଧ୍ୟ ଓଡିଶା ସର୍ବଭାରତୀୟ ସ୍ତରରେ ଏକ ନମ୍ବର । ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଟିମର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଆଗାମୀ ୧୦ ବର୍ଷ ପାଇଁ ଓଡିଶା ହକି ଟିମ୍‌ ପ୍ରାୟୋଜକ ରହିବ । ସେହିଭଳି ୫T ଓ ମୋ ସରକାର ଅଭିଯାନରେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବାରେ ସ୍ବଚ୍ଛତା ଓ ପ୍ରତିବଦ୍ଧତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ଅର୍ଥନୈତିକ ପରିଚାଳନାରେ ଓଡ଼ିଶା ୧ ନମ୍ୱର ରାଜ୍ୟ ହେବ : ଅର୍ଥମନ୍ତ୍ରୀ