କେନ୍ଦୁପତ୍ର ଉପରୁ GST ଉଠାଇବାକୁ ନିର୍ମଳାଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସଟି ଉଠାଇବାକୁ ଅର୍ଥମନ୍ତ୍ରୀ  ଙ୍କୁ ଚିଠି ଲେଖି ଦାବି ଜଣାଇଲେ । ୧୮% ଜିଏସଟି ଲାଗିବା କାରଣରୁ ସେମାନଙ୍କ ଜୀବିକା ଓ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ବହୁଳ ଭାବେ ପ୍ରଭାବିତ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରେ ୮ଲକ୍ଷ ବିଶେଷକରି ଜନଜାତି ସଂପ୍ରଦାୟର ଲୋକମାନେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଏବଂ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶାର ଦାବିକୁ ଗୁରୁତ୍ୱ ଦେଇ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ ଉଲ୍ଲେଖ କରିଛି। ଘାଇଲା କରୁଛି ଜିଏସଟି ମାଡ଼ । ଜିଏସଟି ଯନ୍ତ୍ରଣାରେ ଜର୍ଜରିତ କେନ୍ଦୁପତ୍ର ତୋଳାଳି । ବିକ୍ରି ସମସ୍ୟା ବଢୁଛି ସିନା କମୁନି । ବ୍ୟାପକ ଭାବେ ପ୍ରଭାବିତ ଜୀବନ ଜୀବିକା । ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ସ୍ବାର୍ଥ ପାଇଁ ପୁଣି ଅଣ୍ଚା ଭିଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରକ୍ଷାଦାତା ଭାବେ କେନ୍ଦ୍ରକୁ ଲେଖିଛନ୍ତି ଚିଠି । କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି ଜଣାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଛନ୍ତି ପତ୍ର ।
କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଆଦାୟ ହେଉଛି । ଯାହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି । ରାଜ୍ୟରେ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରନ୍ତି ଏବଂ ସେମାନେ ଅଧିକାଂଶ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ । ଆଇନ ୨୦୦୬ ଆଧାରରେ ଆଦିବାସୀ ଲୋକ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ବାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ଦାବି ଜଣାଇଛନ୍ତି ନବୀନ । ଯାହାକୁ ସମର୍ଥନ କରିଛି ବିଜେଡି । ଦରକାର ପଡିଲେ କେନ୍ଦୁପତ୍ର ତୋଳାଳିଙ୍କ ହକ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦେଇଛି ।

କେନ୍ଦୁପତ୍ର ତୋଳାଳିଙ୍କ ପେଟକୁ କେନ୍ଦ୍ର ମାରୁଛି ଲାତ । କେନ୍ଦୁପତ୍ର ତୋଳିବା ଜନଜାତିଙ୍କ ଜନ୍ମଗତ ଅଧିକାର । ଏଥିରେ ଟାକ୍ସ ବସାଇବା ଜିଜିଆ କର ବସାଇବା ସହ ସମାନ । ଏପରିକି କେନ୍ଦୁପତ୍ର ଓ ବିଡି ଦୁଇଟି ଯାକରେ ଡବଲ ଟାକ୍ସ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଯାହାକି ଅନ୍ୟାୟ । ପୂର୍ବରୁ ଦୁଇ ଥର ଚିଠି ଲେଖି କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୯ ନିର୍ବାଚନୀ ଇସ୍ତହାରରେ ମଧ୍ୟ ବିଜେପି କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଲାଗି ପ୍ରତିଶ୍ରୁତି ଦେଇଥିଲା । ସରକାର ଗଠନ ପରେ ଏବେ କିନ୍ତୁ ତାହାକୁ ପାଶୋରି ଗଲାଣି କେନ୍ଦ୍ର । ହେଲେ ୨୨ ଜିଲ୍ଲାର ୮ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥକୁ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ତୃତୀୟ ଥର ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି । ଯାହାକୁ ସ୍ବାଗତ କରିଛି ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ।