ଧାର୍ଯ୍ୟ ସମୟରେ ସାର ନଦେଲେ ଚାଷୀ ହଇରାଣ ହେବେ

ଭୁବନେଶ୍ବର: ଧାର୍ଯ୍ୟ ସମୟରେ କେନ୍ଦ୍ର ସାର ଦେଉନି । ମାସିକିଆ କୋଟା ରାଜ୍ୟକୁ ମିଳୁନି । ଚାଷୀମାନେ ସାର ନପାଇ ହନ୍ତସନ୍ତ ହେଉଛନ୍ତି । ଖରିଫ ଋତୁରେ ଡିଏପି ସାର ୩୧ ପ୍ରତିଶତ କମ ମିଳିଛି । ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ମାସିକିଆ କୋଟା ସାର ଯୋଗାଇ ଦେଉ । ଏ ସଂପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାକୁ ଚାହିଦା ଅନୁସାରେ ଏମଓପି ଏବଂ ଡିଏପି ସାର ମିଳିନି । ଜୁଲାଇ ଶେଷ ସୁଦ୍ଧା ରାଜ୍ୟକୁ ୪୭ ହଜାର ମେଟ୍ରିକ ଟନ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର କମ୍ ମିଳିଛି । ରାଜ୍ୟରେ ଏବେ ଖରିଫ ଚାଲିଥିଲା ବେଳେ ଏ ସାରର ଚାହିଦା ଆକାଶଛୁଆଁ ରହିଛି । ଗତବର୍ଷ ରାଜ୍ୟ ୟାସ୍, ଜଓ୍ବାଦ ଓ ଗୁଲାବ ବାତ୍ୟା ପାଇଁ ଚାଷୀକୁଳ ବହୁ କ୍ଷତି ସହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏଥର ଭଲ ଫସଲ ପାଇଁ ପାଣିପାଗ ଅନୁକୂଳ ଅଛି । ତେଣୁ ଅଗଷ୍ଟ ଓ ସେପଟେମ୍ବରରେ ଏମଓପି ଏବଂ ଡିଏପି ସାର ଅଧିକ ଦରକାର ହେବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନବୀନ ଚିଠିରେ ଅନୁରୋଧ କରିଛନ୍ତି ।