ପ୍ରଗତିବାଦୀକୁ ପୁରିଲା ୫୦ ବର୍ଷ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୈନିକ ଖବରକାଗଜ ପ୍ରଗତିବାଦୀକୁ ପୂରିଲା ୫୦ ବର୍ଷ । ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ସହିତ ଏହାର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ସମାରୋହ ପାଳିତ ହୋଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦବୋଧନ ଦେଇ ନବୀନ କହିଛନ୍ତି ପ୍ରଗତିବାଦୀ ପାଇଁ ଆଜି ଏକ ଐତିହାସିକ ଦିନ ।

ଏହି ଅସବସରେ ପ୍ରଗତିବାଦୀ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଦ୍ୟୁମ୍ନ ବଳ ଜଣେ ଆଦର୍ଶ ବ୍ୟକ୍ତିତ୍ବ ଥିଲେ । ଜଣେ ଦୃଢ଼ମନା ବ୍ୟକ୍ତି ସହିତ ସମାଜର ସବୁ ଶ୍ରେଣୀ ପାଇଁ ସେ ଚିନ୍ତା କରୁଥିଲେ । ତାଙ୍କ ସଂଘର୍ଷ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ବାକ୍ ସ୍ବାଧୀନତା ଓ ମିଡିଆ ଏଥିକ୍ସକୁ ପାଳନ କରୁଥିଲେ ପ୍ରଦ୍ୟୁମ୍ନ । ତାଙ୍କ ଆଦର୍ଶରେ ସାମ୍ବାଦିକମାନେ ଅନୁପ୍ରାଣିତ ହୋଇଛନ୍ତି । ପ୍ରଦ୍ୟୁମ୍ନ ବଳଙ୍କ ଦ୍ବାରା ପ୍ରତିଷ୍ଠିତ ପ୍ରଗତିବାଦୀ ଆଜି ୫୦ବର୍ଷରେ ପାଦ ଥାପିଛି ।

ସବୁବେଳେ ନିରପେକ୍ଷତାକୁ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ନିମ୍ନସ୍ତରରେ ଲୋକଙ୍କ ପାଇଁ କାମ ସହିତ ଭଏସଲେସଙ୍କ ଭଏସ ହେବାକୁ ନବୀନ କହିଛନ୍ତି । ଓଡ଼ିଶା ଏବେ ବିକାଶର ଶୀର୍ଷ ଆଡ଼କୁ ଅଗ୍ରସର । ଓଡ଼ିଶାର ରୂପାନ୍ତରଣ ସାରା ବିଶ୍ବରେ ପ୍ରଶଂସିତ । ନୂଆ ଓଡ଼ିଶା ଗଠନରେ ପ୍ରଗତିବାଦୀ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।