କେନ୍ଦୁପତ୍ର ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟା ୩୦ରେ ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ହେବ କାର୍ଯ୍ୟକ୍ରମ ।

ସୂଚନାଯୋଗ୍ୟ, କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାଳ ପାଲଟିଛି କେନ୍ଦ୍ରର ନିୟମ । ଜିଏସଟି ଭାଙ୍ଗି ଦେଲାଣି କେନ୍ଦୁପତ୍ର ତୋଳାଳିଙ୍କ ଅଣ୍ଟା । ବାରମ୍ବାର ଦାବି ପରେ ବି କେନ୍ଦ୍ର ଜିଏସଟି ଉଠାଉନି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆଜି ସହାୟତା ରାଶି ବଣ୍ଟନ କରୁଛନ୍ତି ।

ଗତ ବୁଧବାର ସହାୟତା ରାଶି ବଣ୍ଟନ କରାଯିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ୧୦୦୦ ଟଙ୍କା ଏବଂ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏଁ  ଦିଆଯିବ । ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ । ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ । ସମସ୍ତ ତୋଳାଳିଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ।

କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୮ରେ ମଧ୍ୟ ତତକାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖି ଜିଏସଟି ହଟାଇବା ଦାବି କରିଥିଲେ ନବୀନ । ହେଲେ କେନ୍ଦ୍ର ଗରିବ କେନ୍ଦୁପତ୍ର ତୋଲାଳି ଓ କର୍ମଚାରୀଙ୍କ ଦାବିକୁ ସମ୍ମାନ ଦେଉନି । ରାଜ୍ୟରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଅଛନ୍ତି । ବହୁ  ଜନଜାତି ମାଆମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମରେ ନିୟୋଜିତ ହୋଇଛନ୍ତି ।