ଡିସେମ୍ବର ୧୪ ତାରିଖରେ ଜମିପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ସମାଧାନ ହୋଇଛି ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ଜମିଜମା ସମସ୍ୟା । ଏସବୁ ଜମିର ପଟ୍ଟା ପାଇବେ ହିତାଧିକାରୀ । ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ ଜମିପଟ୍ଟା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଜିଲ୍ଲାଗସ୍ତ ସମୟରେ ବିସ୍ଥାପିତଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଓ ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ୫୦ ବର୍ଷରୁ ଅଧିକ ସମୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମିଜମା ସମସ୍ୟାର ସମାଧାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୭ଟି ଗାଁର ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରିବେ । ଏହି ଗାଁ ଗୁଡିକ ହେଲା, ଲେମେଇତିକ୍ରା, ପାତ୍ରପଲ୍ଲୀ, ଛାଡରମା, ଦୁଆଁମୁଣ୍ଡା, ଲାଛିପାଲ୍ଲୀ, ସାହସବାଗ ଓ ବିନକା । ଏହି ୭ଟି ଗ୍ରାମରେ ପ୍ରାୟ ୯୦୦ଟି ପରିବାର ପଟ୍ଟା ପାଇବେ । ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ, ଉଭୟ ଘରବାଡି ଓ ଚାଷଜମି ପଟ୍ଟା ବଣ୍ଟନ କରାଯିବ । ଡିସେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିବେ ।

ଜଟଣୀ ଖାସମାହାଲ ଜମି ସମସ୍ୟାର ମଧ୍ୟ ସମାଧାନ କରାଯାଇଛି । ଜାନୁଆରୀ ମାସରେ ଏହାର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ । ପୁରୀ ଜିଲ୍ଲାରେ ଖାସମାହାଲ ଜମି ସମସ୍ୟାର ସମାଧାନ ରାଜସ୍ବ ବିଭାଗ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଲିଜ୍ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ହୋଇଥିବା ଲିଜ୍କୁ ନିୟମିତ କରାଯିବ । ଏଥିପାଇଁ ସରକାର ଉପଯୁକ୍ତ ପରିମାଣର ଦେୟ ଧାର୍ଯ୍ୟ କରି ଲିଜଧାରୀଙ୍କ ଠାରୁ ଆଦାୟ କରିବେ । ସେହିପରି ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ ଓ ସପନେ ଆଦି ଗ୍ରାମରେ ହାଇଟେକ୍ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସର୍ଭେକୁ ତ୍ବରାନ୍ବିତ କରିବା ପାଇଁ ଏହାର ଆଇନଗତ ସମୟ ସୀମାକୁ କମ୍ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟ ପାଇଁ ଅଧିକ ରାଜସ୍ବ କ୍ଷେତ୍ରାଧିକାରୀମାନଙ୍କୁ ନିୟୋଜିତ କରାଯାଇ ୨୦୨୪ ମାର୍ଚ୍ଚ ସୁଦ୍ଧା ସର୍ଭେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ,  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇନ ସଚିବ ମାନସ ରଞ୍ଜନ ବାରିକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ତଥା ପୁରୀ, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।