ଧାମନଗର ଉପନିର୍ବାଚନ: ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଧାମନଗର: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର ଅବଧି । ଆଜି ଧାମନଗରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବିଜେଡି ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

୧୩ଟି ସଭାରେ ଧାମନଗରବାସୀଙ୍କୁ ଉଦବୋଧନ ଦେବେ ନବୀନ । ଏହା ପୂର୍ବରୁ ଗ୍ରାଉଣ୍ଡରେ ବଢିଛି କ୍ରେଜ୍ । ନବୀନଙ୍କ ପ୍ରଚାର ଲାଗି ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ଲୋକଙ୍କ ସୁବିଧା ପାଇଁ କରାଯାଇଛି ଏଲଇଡି ବ୍ୟବସ୍ଥା । ନବୀନଙ୍କ ପ୍ରଚାର ପରେ ସବୁଥର ପରି ବିଜେଡିର ସ୍ଥିତି ଆହୁରି ସୁଦୃଢ଼ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ଗାଁ ଗାଁରେ ବିଜେଡି କର୍ମୀ ପ୍ରଚାର ଜାରି ରଖିଛନ୍ତି । ବିକାଶ ପାଇଁ ବିଜେଡିକୁ ବାଛିବାକୁ ଲୋକଙ୍କୁ ବୁଝାଉଛନ୍ତି ଦଳୀୟ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାର ସଫଳତା ଭୋଟରଙ୍କ ଆଗରେ ରଖୁଛନ୍ତି । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରଚାରକୁ ଜୋରଦାର କରିଛନ୍ତି ।