ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିବାକୁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ବର: ପରଲୋକରେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା । ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ଗତକାଲି ଗୀତାଙ୍କ ପରଲୋକ ଘଟିଛି । ସ୍ବର୍ଗତା ଗୀତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ । ଗୀତାଙ୍କ ଶେଷ ଦର୍ଶନ କରିବାକୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ, ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ଭଉଣୀ ଗୀତାଙ୍କ କରିବେ ଶେଷ ଦର୍ଶନ । ଆସନ୍ତାକାଲି କରାଯିବ ଗୀତାଙ୍କ ଅନ୍ତିମ ସାଂସ୍କାର ।

ସୂଚନାଯୋଗ୍ୟ, ଗୀତା ଏକାଧାରରେ ଜଣେ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଥିଲେ । ୧୯୪୩ରେ ଜନ୍ମିତ ଗୀତା ଭାରତ ଓ ବ୍ରିଟେନରେ ଶିକ୍ଷା ଲାଭ କରିଥିଲେ । ସେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ତାଙ୍କର କେତେକ ପ୍ରଖ୍ୟାତ ପୁସ୍ତକ ହେଉଛି- କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଏଟରନାଲ ଗଣେଶ ଇତ୍ୟାଦି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ଗୀତା ଚର୍ଚ୍ଚାକୁ ଆସିଥିଲେ ।

ଗୀତାଙ୍କର ସ୍ବାମୀ ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା । ୪୦ ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ ।