ମେକ୍ ଇନ ଓଡ଼ିଶା କନକ୍ଲେଭରେ ନବୀନ, ଏସଏଚଜି ମହିଳାଙ୍କ ଦକ୍ଷତାର କଲେ ପ୍ରଶଂସା
ଭୁବନେଶ୍ୱର: ମେକ ଇନ୍ ଓଡ଼ିଶା କନକ୍ଲେଭର ଆଜି ଦ୍ବିତୀୟ ଦିନ । ଆୟୋଜିତ କାର୍ଯ୍ୟକ୍ରମ ପରିଦର୍ଶନ କରି ମିଶନ ଶକ୍ତି ଷ୍ଟଲରେ ଏସଏଚଜିଙ୍କ ଦ୍ଵାରା ପ୍ରଦର୍ଶିତ ସାମଗ୍ରୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ୟୋଗୀତା କ୍ଷେତ୍ରରେ ମା’ ମାନଙ୍କ ଦକ୍ଷତା ଏବଂ ଆଗକୁ ବଢ଼ିବା ପାଇଁ ଉଦ୍ୟୋଗୀ ମନୋଭାବ ସର୍ବଦା ପ୍ରେରଣାଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ମେଗା ଶିଳ୍ପପତି ସମ୍ମିଳନୀର ପ୍ଲେନାରି ସେସନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମିତ୍ତଲ୍ ଗ୍ରୁପର ଏଲଏନ ମିତ୍ତଲ, ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରଓ୍ବାଲ, ଟାଟା ଗ୍ରୁପର ଟିଭି ନରେନ୍ଦ୍ରନ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ ପ୍ରମୁଖ ଏହି ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନ ୪ଟା ୩୦ରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ର କଟନ ରେଜର । ଏଥିରେ ମିଲେଟ୍ ର ଭୂମିକା, ଆଦିବାସୀ ଓ ମିଲ୍ଲେଟ ପ୍ରଭୃତି ବିଷୟରେ ଆଲୋଚନା ହେବ ।
ଆଜି ମୁଖ୍ୟମନ୍ତ୍ରୀ ୨୦୨୨ ବର୍ଷର ଶିଳ୍ପ ନୀତି ଘୋଷଣା କରିବେ । କିଛିଦିନ ତଳେ ଏହା କ୍ୟାବିନେଟରେ ଘୋଷଣା ହୋଇଥିଲା । ୧୦ଟା ୩୦ ରେ ମେଗା ସମ୍ମିଳନୀ ଆୟୋଜିତ ହେବ । ଏଥିରେ ୨୦ରୁ ଅଧିକ ଏମଓୟୁ ସ୍ବାକ୍ଷରିତ ହେବାର ଅଛି । ଦୁଇ ହଜାରରୁ ଅଧିକ ବିଜନେସ ଡେଲିଗେଟ୍ସ ଯୋଗ ଦେବେ । ଶିଳ୍ପ ଓ ନିର୍ମାଣକୁ ଆର୍ଥିକ ପ୍ରୋତ୍ସାହନ ଶୀର୍ଷକ ଆଲୋଚନା ଚକ୍ର ୪ଟା ୩୦ରେ ଅନୁଷ୍ଠିତ ହେବ । ଏଥିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଧ୍ୟକ୍ଷ ଏସଏସ ମୁନ୍ଦ୍ରା, ଏସବିଆଇର ଗୁଲସନ ମଲ୍ଲିଲ, ଏସଆଇଡିବିଆଇର ଅଧ୍ୟକ୍ଷ ଏସ ରମନ ପ୍ରମୁଖ ବକ୍ତା ଭାବେ ଯୋଗ ଦେବେ ।