ମା’ ତାରାତାରିଣୀ ପୀଠରେ ଚାଲିଛି ପ୍ରତିଷ୍ଠା ଉତ୍ସବ, ଆଜି ମୁଖ୍ୟ ପୁରୋଧା ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ

1 min read

ଗଞ୍ଜାମ: ଧୁମଧାମରେ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ମହାଯଜ୍ଞର ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ରତ୍ନଗିରି ପର୍ବତ । ଉତ୍ସବମୁଖର ହୋଇଛି ଗଞ୍ଜାମ ଜିଲ୍ଲା । ଅପୂର୍ବ ଶୋଭା ମଣ୍ଡନରେ ଆକର୍ଷିତ ହୋଇ ଟାଣି ହୋଇଆସୁଛନ୍ତି ହଜାର ହଜାର ଭକ୍ତ । ଆଜି ମୁଖ୍ୟ ପୁରୋଧା ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶାଳ ଜନସମାବେଶ ହେବାର ସମ୍ଭାବନା ରହିଛି । ଏଥିପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ପୀଠ ପରିଦର୍ଶନ କରି ଆୟୋଜନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ମଧ୍ୟ ଉଭୟ ଆଲୋଚନା କରିଛନ୍ତି । ଅଧିକ ଗହଳି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପରିମଳକୁ ଗୁରୁତ୍ବ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯଜ୍ଞର କର୍ତ୍ତା ହେବା ସହ ସବୁ କାମ ତଦାରଖ କରୁଛନ୍ତି ।