ବୈଷ୍ଣବ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଉନ୍ମୋଚନ କରିଛନ୍ତି । ଏହାସହ ସାରସ୍ବତ କୃତି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଏହା ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।
ଶେଷ ଚିଠି ଏକ କ୍ଷୁଦ୍ର ଗଳ୍ପ ସଂକଳନ । ଏଥିରେ ଉପକୂଳ ଓଡିଶାର ଅର୍ଦ୍ଧ ଶତାଦ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଛକ ଚିତ୍ର ପ୍ରତିଫଳିତ ହୋଇଛି । ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକଙ୍କୁ ହଜି ଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି । ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରା ଏହି ପୁସ୍ତକର ‘ଭୂମିକା’ ଲେଖିଛନ୍ତି ।
ଭାଗବତ କଥାମୃତ ଏକ ଆଧ୍ୟାତ୍ମିକ ଧର୍ମୀ ପୁସ୍ତକ । ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ୪୪ଟି ଆଧ୍ୟାତ୍ମକ କଥାବସ୍ତୁ ସ୍ଥାନ ପାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକରେ ନିଜର ଅଭିମତ ରଖିଛନ୍ତି । ଦୁଇଟି ଯାକ ପୁସ୍ତକ ଭୁବନେଶ୍ବରର ଅପୂର୍ବା ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ହୋଇଛି ।
ଲେଖକ ବୈଷ୍ଣବ ପ୍ରସାଦ ମହାନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ ଭାବରେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ । ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି । ପୂର୍ବରୁ ସେ ଶ୍ରୀମଦ୍ ଭାଗବତ ଗୀତାର ଓଡିଆ ପଦ୍ୟାନୁବାଦ ପ୍ରସ୍ତୁତ କରିଛନ୍ତି ।