୨୦୨୪ରେ ବିଜେଡି ହାତରେ ପୁନର୍ବାର ରାଜ୍ୟ ଶାସନର କମାଣ ରହିବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ନାହିଁ ନବୀନଙ୍କ ବିକଳ୍ପ । ୨୦୨୪ରେ ବିଜେଡି ହାତରେ ପୁନର୍ବାର ରାଜ୍ୟ ଶାସନର କମାଣ ରହିବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ନେତୃତରେ ଓଡ଼ିଶାର ବିକାଶ ଦ୍ରୃତ ଗତିରେ ଆଗେଇ ଚାଲିଥିବାରି ବିକାଶର ବିନ୍ଧାଣୀ ହେବାକୁ ବିରୋଧୀ ଦଳ ସଦସ୍ୟ ଏବେ ବିଜେଡି ମୁହାଁ । ୨୦୨୪ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଦିନ ବିରୋଧୀ ଦଳର ନେତା ବିଜେଡିରେ ସାମିଲ ହେବା ରାଜ୍ୟ ରାଜନୀତି ସମୀକରଣକୁ ନୂଆଦିଗ ଦେଇଛି । ଯାହା ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ସହ ବିରୋଧୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

ବିଜେଡି ଦେଢ କୋଟି ଭୋଟ ଟାର୍ଗେଟ ମୁହା୍ଁ ହେଉଛି ଦଳ । ସାଧାରଣ ନିର୍ବାଚନର ବହୁଦିନ ପୂର୍ବରୁ ଦଳର ଏହି ସଫଳତା ବରିଷ୍ଠ ନେତାମାନଙ୍କୁ ଉତ୍ସାହିତ କରିଛି । ଭାଙ୍ଗୁଛି ବିରୋଧୀ ଦୁର୍ଗ । ବିଜେଡି ମୁହାଁ ନେତା ଓ କର୍ମୀ । ଚବିଶ ପାଇଁ ବଦଳିଲାନି ସମୀକରଣ । ବିଜେଡି କହିଲା ନବୀନଙ୍କ ନାହିଁ ବିକଳ୍ପ । ଫୋକସରେ ଲୋକ ସମ୍ପର୍କ ।. ..୨୦୨୪ରେ କିଏ ଗଢିବ ରାଜ୍ୟରେ ସରକାର? କଣ ରହିଛି ଓଡ଼ିଶାର ରାଜନୈତିକ ପାଣିପାଗ ? ରାଜ୍ୟବାସ କଣ ଚିନ୍ତା କରୁଛନ୍ତି ? ଏସବୁ ପ୍ରଶ୍ନର ଗୋଟିଏ ସହଜ ଉତ୍ତର ଓଡ଼ିଶାରେ ନାହିଁ ନବୀନଙ୍କ ବିକଳ୍ପ । ୬ମାସରୁ ଅଧିକ ଦିନଧରି ଓଡ଼ିଶାରେ ସାଧାରଣ ନିର୍ବାଚନ ହେବାକୁ ବାକିଥିବା ବେଳେ ସବୁ ଦଳ ନିର୍ବାଚନୀ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।

ଆଉ ତାହାରି ଭିତରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଓ ଉପନିର୍ବାଚନ ଫଳାଫଳ ବିଜେଡିକୁ ଅଧିକ ଶକ୍ତିଶାଳୀ କରୁଛି । ନବୀନଙ୍କ ଦୃଢ ନେତୃତ୍ବ ଓ ବିକାଶ କାର୍ଯ୍ୟକ୍ରମ ଜରିଆରେ ଗଠନ ହୋଇଚାଲିଛି ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା । ଯାହା ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ଫଳରେ ୨୪ ନିର୍ବାଚନରୁ ଦେଢ ବର୍ଷ ପୂର୍ବରୁ ବିଜେପି ଓ କଂଗ୍ରେସର ବହୁନେତା ଏବେ ବିଜେଡି ମୁହାଁ । ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଟ୍ରେଲର ଦେଖିବାକୁ ମିଳିଲାଣି । ମୁଖ୍ୟ ବିରୋଧୀ ବିଜେପି ଦଳର ଜିଲ୍ଲା ନେତୃତ୍ବ ନେଉଥିବା ନେତା ଓ ଦଳର ଷ୍ଟାର କ୍ୟାମ୍ପେନର ସାଜିଥିବା ନେତା ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେଣି । କଂଗ୍ରେସ କଥା ତ ନକହିଲେ ଭଲ ।

ଦଳର ପୂର୍ବତନ ପ୍ରାର୍ଥୀ ଓ ମଙ୍ଗୁଆଳ ବି ବିଜେଡିରୁ ସାମିଲ ହୋଇଛନ୍ତି । ଯାହା ବିଜେଡିକୁ ସାଧାରଣ ନିର୍ବାଚନ ପୂର୍ବରୁ ଅଧିକ ଶକ୍ତିଶାଳୀ କରିବା ସହ ନବୀନଙ୍କ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବାକୁ ଓଡ଼ିଶାବାସୀ ମନସ୍ଥ କରିଥିବା ତାହା ପ୍ରମାଣିତ କରିଛି । ବିରୋଧୀ ନେତା ମଧ୍ୟ ଏ କଥାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି । ୨୦୨୩ରେ ଚବିଶ ପାଇଁ ସବୁ ଦଳର ଅଙ୍କକଷା ଜୋରଦାର କରିଥିବା ବେଳେ ସବୁ ପ୍ରସ୍ତୁତିରେ ଢେର ଆଗରେ ରହିଛି ବିଜେଡି । ଦେଢ କୋଟି ଭୋଟ ହାତେଇବା ପାଇଁ ଦଳ ଦେଢବର୍ଷ ପୂର୍ବରୁ ରୋଡମ୍ୟାପ କରି କାମ ଆରମ୍ଭ କରିଦେଇଛି ।

ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ଅଧିକ ମଜଭୁତ କରିବା ଓ ଲୋକ ସମ୍ପର୍କ ବଢାଇବା , ଜନସେବା ପାଇଁ ଅଧିକ କାର୍ଯ୍ୟକ୍ରମ ହାତକୁ ନେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଶତ ପ୍ରତିଶତ ସଫଳ କରିବାକୁ ଦଳୀୟ ନେତା ଓ କର୍ମୀ ଅଣ୍ଟା ଭିଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନବୀନ ନିବସରେ ଏସବୁ ରୁଟିନ ଓ୍ବାର୍କର ସମୀକ୍ଷା କରୁଥିବା ଦଳୀୟ ନେତାଏ କହିଛନ୍ତି ।

୨୫ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି, ଶିଳ୍ପ, କ୍ରୀଡ଼ା, ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶରେ ଓଡ଼ିଶା ଦେଶର ରୋଲ ମଡେଲ ସାଜିଛି । ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତିରେ ସବୁ କ୍ଷେତ୍ରରେ ଓଡ଼ିଶା କିପରି ୧ ନମ୍ବର ରାଜ୍ୟ ହେବ ତାହାକୁ ଫୋକସ କରିଛନ୍ତି ରାଜ୍ୟ ସରକାର । ଆଉ ଏସବୁ ପାଇଁ ନବୀନ ଓଡ଼ିଶାକୁ ସବୁ ନିର୍ବାଚନରେ ଓଡ଼ିଶାବାସୀଙ୍କ ଆର୍ଶୀବାଦ ମିଳୁଛି ।