ନୂଆପଡ଼ାବାସୀଙ୍କ ପାଇଁ ବଡ଼ ଗିଫ୍ଟ ନେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ । ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳପ୍ରକଳ୍ପକୁ କରିବେ ଲୋକାର୍ପଣ । ଚାଷଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟଜଳ ଯୋଗାଇବ ୨୦୦୦ କୋଟିରେ ନିର୍ମିତ ଏହି ପ୍ରକଳ୍ପ ।
ନୂଆପଡ଼ାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ଆସନ୍ତା ୧୦ରେ ନୂଆପଡ଼ା ଲାଇଫ୍ ଲାଇନର ହେବ ଶୁଭାରମ୍ଭ । ପ୍ରତିଶ୍ରୁତି ରକ୍ଷା କରିଛନ୍ତି ନବୀନ ପଟ୍ଟନାୟକ । ଲୋୟର ଇନ୍ଦ୍ର ପ୍ରକଳ୍ପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ଉଦଘାଟନ ପରେ ଖଡ଼ିଆଳ ହାଇସ୍କୁଲ ପଡ଼ିଆରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ନୂଆପଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଉପହାର ନେଇ ଆସୁଥିବା କହିଛନ୍ତି ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ।
ତିଖାଲିଠାରେ ୨୦୨୦ ମେ’ ୭ ତାରିଖରେ ୨୦୦୦ କୋଟି ଟଙ୍କା ଅଟକଳରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା । ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ । ଲୋୟର ଇନ୍ଦ୍ରପ୍ରକଳ୍ପ ସହ ନୂଆପଡ଼ା ଜିଲ୍ଲାରେ ୭୫୦ କୋଟି ଟଙ୍କାର ଅନ୍ୟ ପ୍ରକଳ୍ପକୁ ବି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପଗୁଡିକ ଲୋକଙ୍କ ବିଭିନ୍ନ ସମସ୍ୟା ଦୂର କରିବାରେ ଐତିହାସିକ ପଦକ୍ଷେପ ହେବ ବୋଲି ମତ ପକାଶ ପାଇଛି । ମୁଖ୍ୟମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।
ସୁନ୍ଦର ଓ ଇନ୍ଦ୍ରନଦୀର ସଙ୍ଗମସ୍ଥଳୀରେ ନିର୍ମାଣ ହୋଇଛି ଲୋୟର ଇନ୍ଦ୍ରଜଳ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ୧ ହଜାର ୬୭୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ ।