ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ

1 min read

ଭୁବନେଶ୍ୱର/ବଲାଙ୍ଗୀର: ଆଉ କିଛି ଘଣ୍ଟାର ଅପେକ୍ଷା । ବଲାଙ୍ଗୀରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶ ନକ୍ସାରେ ଯୋଡ଼ି ହେବ ବଲାଙ୍ଗୀର ଜିଲ୍ଲା । ଜିଲ୍ଲାର ୪ଲକ୍ଷ,୫୨ହଜାର ପରିବାର ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ । ସକାଳ ୧୦ଟା ୧୫ମିନିଟ ସମୟରେ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ମିନିଟ ସମୟରେ ଟିଟିଲାଗଡ଼ ସଭାସ୍ଥଳରେ ଯୋଗ ଦେବେ । ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧନ କରିବା ପରେ ସେଠାରୁ ପାଟଣାଗଡ଼ ଓ ବଲାଙ୍ଗୀର ସଭାରେ ଯୋଗ ଦେବେ । ନବୀନଙ୍କ ଏହି ଐତିହାସିକ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବା ପାଇଁ ଜିଲ୍ଲାରେ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ।

ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ୧୧କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ । ସେହିପରି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌଦାର୍ଯ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିବେ । ସେହିପରି ବଲାଙ୍ଗୀର ପୋୖରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଂଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ, ଜିଲ୍ଲାର ଅନେକ ଗୁଡ଼ାଏ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼ ଠାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଜିଲ୍ଲାର ଜଳସେଚନ ପ୍ରକଳ୍ପ, କୃଷି ଓ କୃଷକ ମାନଙ୍କ ବିକାଶକୁ ନେଇ ଅନେକ ପ୍ରକଳ୍ପର ଲୋକାର୍ପିତ ଓ ଶିଳାନ୍ୟାସ କରିବେ । ଜିଲାର ବିକାଶ ପାଇଁ ପାଖାପାଖି ୫ଶହରୁ ୬ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ବଲାଙ୍ଗୀର ବାସୀଙ୍କୁ ଭେଟି ଦେବେ ନବୀନ । ଟିଟିଲାଗଡ଼ ଓ ପାଟଣାଗଡ଼ କାର୍ଯ୍ୟକ୍ରମ ପରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ୧୨ଟା ୫ମିନିଟ ସମୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଲୋଇଁସିଂହା ବିଧାୟକ ମୁକେଶ ମହଲିଙ୍ଗ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ଦୃଷ୍ଟିରୁ ତିନୋଟି ସ୍ଥାନରେ ଉତ୍ତରାଂଚଳ ଡିଆଇଜି, ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ହେବ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବୈଠକ: ବକେୟା ଅର୍ଥ ପ୍ରଦାନ ନେଇ ଦାବି କରିବେ ମୁଖ୍ୟମନ୍ତ୍ରୀ

 

Leave a Reply